Unknown

 

 

 

 

 

 

 

 

 

ଇନ୍ଦୁମତୀ

ସ୍ୱଭାବକବି ଗଙ୍ଗାଧର ମେହେର

 

ଉତ୍ସର୍ଗ

ବିଦ୍ୱତ୍‌-କୁମୁଦବନତୋଷିଣୀ-ପ୍ରଭାପ୍ରଦାୟକ, ଉତ୍କଳାକାଶ-ସୌନ୍ଦର୍ଯ୍ୟସମ୍ପାଦକ,

ପର୍ବଶର୍ବରୀନାୟକ , ଶ୍ରୀଳଶ୍ରୀଯୁକ୍ତ ଶ୍ରୀରାମନ୍ଦ୍ରଭଞ୍ଜ ଦେବ

ମହାରାଜ ବାହାଦୁର ମୟୂରଭଞ୍ଜାଧୀଶ୍ବର

ମହାମହିମେଷୁ !

 

ସବିନୟ ନିବେଦନମିଦଂ

ମହାରାଜ,

ବରପାଲି ଯୁବରାଜଙ୍କ ବିବାହ ସମୟରେ ବାରିପଦା ରାଜଧାନୀର ଉପକଣ୍ଠବର୍ତ୍ତୀ ମଧୁବନୋଦ୍ୟାନରେ ଶ୍ରୀଛାମୁଙ୍କର ମୁଖାରବିନ୍ଦ ଦର୍ଶନ କଲାମାତ୍ରେ ମୋହର ହୃଦୟରେ ଏକ ଅନିର୍ବନୀୟ ଭାବ ଉଦିତ ହେଲା । ପରେ ରାଜନୀତି ପରାୟଣତା, ପ୍ରକାରଞ୍ଜକତା ପ୍ରଭୃତି ରାଜୋଚିତ ସମସ୍ତ ଲକ୍ଷଣ ଓ ଉଦାରହୃଦୟତା, ନିରହଂକାରିତା, ସୁଶୀଳତାଦି ଦେବୋପମ ବହୁବିଧ ସଦ୍‌ଗୁଣର ଭୂରି ଭୂରି ପ୍ରତ୍ୟକ୍ଷ ପ୍ରମାଣ ସନ୍ଦର୍ଶିନ କରିବାରୁ ଅନୁପମ ଭକ୍ତିର ସଞ୍ଚାର ହଲା । ଶ୍ରୀଛାମୁଙ୍କର ଚରଣାର୍ଚ୍ଚନ କରି ସେହି ଭକ୍ତି ଚରିତାର୍ଥ କରିବାକୁ ଉତ୍ସୁକ ଥାଇ ଆଜସୁଦ୍ଧା କୌଣସି ସୁଯୋଗ ପାଇପାରି ନଥିଲି । ସମ୍ପ୍ରତି ନିଃସ୍ୱ ଭକ୍ତର ସାମାନ୍ୟ ଦୂର୍ବା କୃପାମୟ ପ୍ରଭୁର ଅବଜ୍ଞେୟ ହୁଏ ନାହିଁ ଭାବି, ମୋହର ନାବୋଦ୍ୟମପ୍ରସୂତ ଏହି କ୍ଷୁଦ୍ର କାବ୍ୟଖଣ୍ଡ ଶ୍ରୀ ମହାରାଜଙ୍କ କରକମଳରେ ଅର୍ପଣ କଲି ।

ତା ୨୨/୮/୧୮୯୪

।ଇତି।

ବରପାଲି, ସମ୍ବଲପୁର

ଶ୍ରୀ ଗଙ୍ଗାଧର ମେହେର

 

କବିଗୁରୁ ରାୟ ରାଧାନାଥ ରାୟ ବାହାଦୂରଙ୍କ

ମନ୍ତବ୍ୟ

(୧)

‘ଇନ୍ଦୁମତୀ’ କାବ୍ୟ ମୁଁ ଆଦ୍ୟୋପାନ୍ତ ପାଠକରି ଆଶାତୀତ ପ୍ରୀତି ଲାଭ କରିଅଛି । ଏ କାବ୍ୟର କବି ସାମାନ୍ୟ ଶକ୍ତିଶାଳୀ ଲେଖକ ନୁହନ୍ତି । ମୂଳଚରିତ ରଘୁବଂଶରୁ ସଂଗୃହୀତ ହୋଇଥିଲେହେଁ, ଏହାର ଭାବ ଏବଂ ଭାଷା ଦୃଷ୍ଟିରେ, ମୁଁ ଏହାକୁ ଅଭିନବ ଏବଂ ଉତ୍କଷ୍ଟ କାବ୍ୟରୂପେ ଗ୍ରହଣ କରିବାକୁ ଳବମାତ୍ର କୁଣ୍ଠିତ ହେବି ନାହିଁ । ଗ୍ରନ୍ଥାକାର ଏଥିରେ ଅନେକ ନୂତନ ଏବଂ ସୁନ୍ଦର ଭାବ ସନ୍ନିବେଶିତ କରିଅନ୍ତି । ଏହାର ଭାବ ସରଳ, ଅକ୍ଳିଷ୍ଟ ଏବଂ ଶ୍ରୁତିମଧୁର ହୋଇଅଛି । ମୋହ ମତରେ ‘ଇନ୍ଦୁମତୀ’ ସ୍ୱଭାବସୁନ୍ଦରୀ ଉତ୍କଳଭାରତୀଙ୍କର ଅନୁପଯୁକ୍ତ ଭୂଷଣ ନୁହେ ।

କଟକ

 

୨୨/୨/୧୮୯୪

ଶ୍ରୀରାଧାନାଥ ରାୟ

 

 

 

 

ମନ୍ତବ୍ୟ

(୨)

‘ଇନ୍ଦୁମତୀ’ ପାଣ୍ଠୁଲେଖ୍ୟ ଅବସ୍ଥାରେ ମୁଁ ତାହା ଆଦ୍ୟୋପାନ୍ତ ପାଠକରି ଗ୍ରନ୍ଥାକାର ମହାଶୟଙ୍କୁ ମୋହର ମତ ଜଣାଇଥଲି । ଗ୍ରନ୍ଥାକାର ସେହି ମତ ପୁସ୍ତକ ମୁଖବନ୍ଧରେ ସଂଯୋଜିତ କରିଅଛନ୍ତି । ପୁସ୍ତକର ଉତ୍କର୍ଷ ସମ୍ବନ୍ଧରେ ମୋହର ଅଧିକ କହିବାର ଅନାଶ୍ୟକ । ମୁଁ ଆଶାକରେଁ, ଉତ୍କଳର ସାହିତ୍ୟରସିକମାନେ କାବ୍ୟଖଣ୍ଡିକ ସମଗ୍ର ପାଠକରି ନିଜ ନିଜ ସ୍ଥିର କରିବେ । ଉତ୍କଳୀୟ ପାଠକଙ୍କର ତ କଥା ନାହିଁ, ଯେଉଁ:ମାନେ ସଂସ୍କୃତ ରଘୁବଂଶରେ ଇନ୍ଦୁମତୀରଚିତ ପାଠ କରିଅଛନ୍ତି, ସେମାନେ ସୁଦ୍ଧା ଏହି କାବ୍ୟ ପାଠକରି ପଠନଶ୍ରମକୁ ପଣ୍ଡଶ୍ରମ ମଣିବେ, ନାହିଁ ।

ଗ୍ରନ୍ଥାକାର ଉଚ୍ଚଶିକ୍ଷାର ସୁବିଧା ପାଇ ନ ଥିଲେ; ମାତ୍ର ତାହାଙ୍କର ନୈସର୍ଗିକ ପ୍ରତିଭା ସେହି ଅଭାବ ପୂରଣ କରିଦେଇଅଛି । ସେହି ପ୍ରତିଭା ବଳରେ ସେ ପ୍ରକୃତିର ସୌନ୍ଦର୍ଯ୍ୟ ପରୋକ୍ଷଭାବରେ ପୁସ୍ତକରେ ନ ଦେଖି ସେଥିରେ ଚାକ୍ଷୁଷ ପ୍ରତ୍ୟେକ୍ଷ କରିଅଛନ୍ତି ଏବଂ ଯାହା ଦେଖିଅଛନ୍ତି, ତାହା ଯଥାଯଥ ବର୍ଣ୍ଣନା କରିଅନ୍ତି । ଏଥିରେ ଥିବା ଉଦ୍ୟାନବର୍ଣ୍ଣନା ମୋର ଏହି କଥାର ଏକତର ପ୍ରମାଣରୂପେ ଗୃହୀତ ହୋଇପାରେ ।

‘ଇନ୍ଦୁମତୀ’ ର ଆଉ ଗୋଟିଏ ପ୍ରଧାନ ଗୁଣ ଏହି ଯେ, ଏଥିରେ କୌଣସି ଭାବ ଶବ୍ଦ ନାହିଁ, ଯାହା ଆଧୁନିକ ରୁଚି ଅନୁସାରେ ବର୍ଜନୀୟ ବୋଲି ବିବେିତ ହେବ । ମୋହ ମତରେ ଏହା ଉତ୍କଳ ବିଦ୍ୟାଳୟମାନଙ୍କରେ ପାଠ୍ୟପୁସ୍ତକରୂପେ ପ୍ରବର୍ତ୍ତିତ ହେବାର ସମ୍ପୂର୍ଣ୍ଣ ଉପଯୁକ୍ତ ଅଟେ ।

ପୁସ୍ତକର ସ୍ଥାନେ ସ୍ଥାନେ ଯେଉଁ ଦୋଷ ଗୁଣ ଅଛି, ଗୁଣ ସହିତ ତୁଳିତ ହେଲେ ତାହା ନିତାନ୍ତ ସାମାନ୍ୟ ଅଟେ ।ଇତି।

ତା ୬।୧୨।୧୮୯୪

ଶ୍ରୀ ରାଧାନାଥ ରାୟ

 

“ଇନ୍ଦୁମତୀ” କାବ୍ୟପ୍ରଣେତା

ଶ୍ରୀ ଗଙ୍ଗାଧର ମେହେରଙ୍କ ପ୍ରତି *

“But knowledge to their eyes her ample page

“Rich with the spoils of time did ne’er unroll

“Chill penury repressed their noble rage

“And froze the genial current of the soul.”

 

ଆହେ ଭ୍ରାତଃ, ତୁମ୍ଭଙ୍କୁ ମୁଁ କେବେ ଦେଖି ନାହିଁ,

ତବ କଥା ମନେ ମୋର ପଡ଼ଇ କିପାଇଁ ?

ଚିହ୍ନକି ନଚିହ୍ନ ମୋତେ ତୁମ୍ଭେ ଜାଣେ ନାହିଁ,

ତୁମ୍ଭଙ୍କୁ ମଣଇ କିନ୍ତୁ ମୁହିଁ ନିଜ ଭାଇ ।

ଲୋଡ଼େ ନାହିଁ ଦେଖିବାକୁ ମୁଁ ତୁମ୍ଭ ମୂରତି,

ଦେଖି କାଳେ ତୁଟିଯିବ ମାୟା ତବ ପ୍ରତି ।

ପଢ଼ିଅଛି ‘ଇନ୍ଦୁମତୀ’ କାବ୍ୟ କେତେ ଥର,

ସେହିଠାରେ ପରିଚୟ ତୁମ୍ଭର ମୋହର ।

ଲାବଣ୍ୟ-କାସାର-ହଂସ ପୁରୁଷ ଅଦ୍ଭୁତ,

କାଳିଦାସ ଭାରତୀୟ ବାଣୀ –ବରସୁତ,

ଯୋଗ୍ୟ ଅନ୍ତେବାସୀ ତୁମ୍ଭେ ଅଟ – ତାହାଙ୍କର,

ବଲିହାରି, ଗୁରୁ ପ୍ରତି ସମ୍ଭାର ଅର୍ଘ୍ୟର ।

ପବିତ୍ର –ପ୍ରଣୟ ଏ ମୋ ଭାରତୀ-ନନ୍ଦନ,

ମହାର୍ଘ ଭାବିଣ ପ୍ରିୟ କର ହେ ଗ୍ରହଣ ।

ସଂସାର ଆବିଳ ସ୍ତୁତି ହାଟେ ଘାଟେ ମିଳେ,

ଏ ମୋହର ସ୍ନେହେ ନାହିଁ ସ୍ୱାର୍ଥଭାବ ତିଳେ ।

ଖଣ୍ଡେ କାବ୍ୟ ଲେଖିଦେଇ ରହିଲ ନିଶ୍ଚିନ୍ତ,

ଐଶୀ-ଶକ୍ତି ନାଶି କର୍ମେ ହେଳା କି ଉଚିତ ?

ଶୁଣିଅଛି ଦରିଦ୍ରତା କଠୋର ନିର୍ଘାତ

ସହି କଷ୍ଟେ କବି, ତୁମ୍ଭେ କର ଦିନପାତ ।

ସୁଦୂରେ ତୁମ୍ଭରି ପରି ମୁହିଁ ଆଉ ଜଣେ,

ଦାରୁଣ ଦୁଃଖ –ପ୍ରହାରେ ବଞ୍ଚେ କ୍ଷୁଣ୍ଣ ମନେ ।

ଅଛି କବି ବାଣୀ ‘‘ ଦୁଃଖୀ ଜନ

ଯେଉଁ ସୁଖ ପାଏ, ନ ପାଏ ତା ସୁଖୀ ଜନ ।’’

ତେଣୁ ମୋର ତୁମ୍ଭ ପ୍ରତି ଏ ସହାନଭୂତି,

ନାଚଇ ମୋ ନେତ୍ରେ ‘ଇନ୍ଦୁମତୀ’ କବିମୂର୍ତ୍ତି ।

ଜନ୍ମିଥାନ୍ତ ଯେବେ ସଭ୍ୟ ଉନ୍ନତ ଦେଶରେ,

ବାଜୁଥାନ୍ତା ନାମ ତବ ନିଗଦିଗନ୍ତରେ ।

ଆବାଳବୃଦ୍ଧବନିତା ଦୁଃଖୀ ପ୍ରିୟ କବି ;

ହୃଦ ମଧ୍ୟେ ରଖିଥାନ୍ତେ ତବ ଦୀନ ଛବି ।

ପୂର୍ବ-ସୁକୃତବିହୀନେ ପଡ଼ି ଏ ଉଷର,

ସୁପ୍ରତିଭା-ମଣି ଆଭା ବିନଷ୍ଟ ତୁମ୍ଭର ।

କବିତା –ଲତାରେ ଏକମାତ୍ର ଫୁଲ ଫୁଟି

ଅନାଦରେ ସେ ଲତିକା ଗଲା ତ ଉକୁଟି !

ଶୁଣିଅଛି, ଅଟ ତୁମ୍ଭେ ସୁଶୀଳ ବିନୀତ,

ତେଣୁ ତୁମ୍ଭ ନାମେ ଆଜି ଭଣିଲି ଏ ଗୀତ ।

କଠୋର ଶୃଙ୍ଖଳ ଫିଙ୍ଗିଦିଅ ବିଷାଦାର,

ପଦାଘାତ କର ଅତ୍ୟାଚାରେ ସମାଜର ।

ଦରିଦ୍ରତା ନୁହେ କବି ପ୍ରତିଭା –ନାଶକ

ବିଘ୍ନ ସିନା ଭେଲ କାର୍ଟି ସୁନା ପରୀକ୍ଷକ ।

ପବିତ୍ର ସୁନ୍ଦର କାବ୍ୟ ଲେଖି ପ୍ରିୟ କବି,

ସମୁଜ୍ଜଳ କର ମାତୃଭୂମି ମୁଖଛବି ।

କର୍ମନାଶ ନୀରେ ହେଉ ଜାତି ବିସର୍ଜନ,

ବୈଶ୍ୟଠୁ ଶିଖନ୍ତୁ ମଭି କ୍ଷତ୍ରିୟ ବ୍ରାହ୍ମଣ ।

ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ-ମଣ୍ଡିତ,

କାଳବଳେ ହେବେ ସର୍ବେ ଭବୁଁ ଅନ୍ତର୍ହିତ;

କିନ୍ତୁ ତୁମ୍ଭେ ଦୀନ କବି ରହିବ ଜୀବିତ,

ଯେତେ ଛପାଇଳେ ନ ଲୁଚଇ ଅଗ୍ନି ସତ୍ୟ,

ଲୁଚିଲେ କି ଚମ୍ପୂକବି ବଳଦେବ ରଥ ?(୧)

 

 

(ପୂର୍ବଭାଗ)

(ରାଗ-ବଙ୍ଗାଳାଶ୍ରୀ)

 

ବିଦର୍ଭ ନଗରେ ପୁରବାସୀଗଣ

ଆଜି ଅତି ଉଲ୍ଲସିତ,

ଆନନ୍ଦ-ସାଗର ତରଙ୍ଗେ ନଗର

ହୋଇଅଛି ଉଦ୍‌ବେଳିତ ।

ବିଦର୍ଭାଧିପତି ଅନୁଜା ନିମନ୍ତେ;

କରିଛନ୍ତି ସ୍ୱୟମ୍ବର,

ସମାଗତ ହୋଇ ଅଛନ୍ତି ଅନେକ

ଦେଶର ନୃପକୁମର ।

ଚୌଦିଗେ ଶୋଭଇ ଖଡ଼ଶୈଳ ପ୍ରାୟେ

ତୁଙ୍ଗ ଶୁଭ୍ର ବସ୍ତ୍ରାବାସ,

ମାତଙ୍ଗ ବୃଂହିତ ଅଶ୍ୱ ହ୍ରେଷାରବେ

ପୂର୍ଣ୍ଣ ହେଉଛି ଆକାଶ ।

ବିବିଧ ଦେଶୀୟ ବିବିଧ ବାଜଣା

ବାଜି ନାନାରଙ୍ଗ ସ୍ୱରେ,

ଜନକାଳାହଳ ସହିତରେ ମିଶି

ଶ୍ରବଣକୁ ସ୍ତବ୍‌ଧ କରେ

ଯବତୀମାନଙ୍କ ଆନନ୍ଦଚହଳେ

ପୁରିଅଛି ହୋଇ ଦୂର ।

ଜେମାକୁ ସୁବେଶ କରିବା ନିମନ୍ତେ

ତତ୍ପର ସକଳ ଆଳୀ,

କେ ଘୋରେ ଚନ୍ଦନ କେ ଘୋରେ କସ୍ତୁରୀ

କେ ଗୁନ୍ଥଇ ପୁଷ୍ପମାଳି ।

ଅଳଙ୍କାରପେଡ଼ି ମଣି କେଉଁ ସଖୀ

ଫେଡ଼ି ଥୋଇଅଛି ପାଶେ,

ବାଛି ବାଛି ଯୋଷା ଲାଗି ହେବ ଭୂଷା

ଯେ ଅବେ ରୁଚିକି ଆସେ ।

ନାନା ରଙ୍ଗ ପାଟ ଶାଢ଼ିମାନ ଆଣି

ଦେଖାଇଛି କେଉଁ ଆଳୀ,

ଯେଉଁ ଅଭିରୁଚି ହେବ ସେହି ଶାଢ଼ି

ଲାଗିହେବ ବୋଲି ବାଳୀ ।

ସ୍ୱର୍ଣ୍ଣକଙ୍କତୀରେ ସାମଳି କୁନ୍ତଳ

ଗୁନ୍ଥିଦେଇଛି କେ ବେଣୀ,

କେ ସଖୀ ସମକ୍ଷେ ଠିଆ ହୋଇଅଛି

କନକ-ମୁକୁର ଘେନି ।

ଏଣେ ରାଜସଭା ମନୋହର ବେଶେ

ହୋଇଲାଣି ସୁସଜ୍ଜିତ,

ଆନେ କି ଉପମା ? ଯା’ ଶୋଭା ଚାହିଁଲେ

ସୁଧର୍ମା (୧) ହେବ ଲଜ୍ଜିତ ।

ଜଣେ ଜଣେ ହୋଇ ସଭାଗତ ହେଲେ

କ୍ରମେ ସର୍ବ ନରପତି,

ସନ୍ଧ୍ୟାଦେବୀ କୋଳେ, ଉଇଁ ଆସିଲେ କି

ଉଜ୍ଜ୍ୱଳ ତାରକାପଂକ୍ତି ।

ବସିଲେ ତହିଁରେ ଅତି ମନୋହର

ସ୍ୱର୍ଣ୍ଣମୟ ସିଂହାସନେ,

ଆମ୍ବିତେ ଅବା କମଳ ସକଳ

ଫୁଟିଗଲେ ପଦ୍ମବନେ ।

ତହିଁ ମଧ୍ୟ ବିଜେ କୋଶଳ ନୃପତି

ସୁତ ଅଜ ଯୁବରାଜ,

ସୁରବୃନ୍ଦ ସଙ୍ଗେ ମହୀକି ଆଗତ

ହେଲେ କି ସେ ଦେବରାଜ ।

ଅବା ଅକମ୍ପିତ ସ୍ୱଚ୍ଛ ନୀର ଫୁଲ୍ଲ

କୁମୁଦଶୋଭିତ ସରେ,

ବାଳାର୍କମଣ୍ଡଳ ପ୍ରତିବିମ୍ବ ଆସି

ପଡ଼ିଗଲା ତରତରେ ।

ପୂର୍ଣ୍ଣ-କଳାକର ସମୁଦିତ ହେଲେ

ତାରାକୁଳ ଯଥା ମ୍ଳାନ,

ଅଜ ଆଗମନେ ନୃପମାନଙ୍କର

ହ୍ରସ୍ୱ ହେଲା ଅଭିମାନ ।

କନ୍ୟା-ଲାଭ ଆଶା ଦୂରହୋଇଗଲା

ମାନସରୁ ତାହାଙ୍କର,

ଶରଦ ଆଗମ ଦରଶନେ ଯଥା

ଆକାଶରୁ ଜଳଧର ।

ରାଜନ୍ୟମଣ୍ଡଳ ମଧ୍ୟେ ବିରାଜିଲା

ଏକାଳେ ରାଜନନ୍ଦିନୀ,

ଇନ୍ଦ୍ର –ଶରାସନ ତଳେ ବିଳସିଲା

କିବା ଚାରୁ ସୌଦାମିନୀ

ଅଥବା ରତନ ଖଣିଗର୍ଭେ ହେଲା

ଦୀପଶିଖା ପ୍ରଜ୍ଜ୍ୱଳିତା,

ନବ ବିକସତ କମଳକାନନେ

କମଳା ବା ବିରାଜିତା ।

ରାଜସୁତ-ଚିତ୍ତ ଆହ୍ଲାଦଦାୟିନୀ

ବରମାଲ୍ୟ ଅି ଧରି,

କୁମୁଦମାଳିନୀ ଶରଦ-କୌମୁଦୀ

ଶୋଭା-ଗର୍ଭ ଅପହରି ।

ଚାହିଁ ଅଦଭୁତେ ଅପୂର୍ବ ଲାବଣ୍ୟ

ରୂପସୀ-ରୂପସାଗରେ,

ରୂପଲୋଭ ନୃପ କୁମାରଙ୍କ ମନ

ମୀନେ ବୁଡ଼ିଗଲେ ଖରେ ।

ମାଲ୍ୟ ଲଭିବାକୁ ନୃପସୁତମାନେ

ସମସ୍ତେ ଲୋଲୁପଚିତ୍ତ,

ବୁଭୁକ୍ଷିତ ଅଳି ବୃନ୍ଦ ଚାହିଁ ଯଥା

ଏକ ପଦ୍ମ ବିକସିତ ।

କାହା ଭାଗ୍ୟ-ବନ ଫୁଲରେ ସେ ମାଳା

ଅଧିକାରୀ କିଏ ତାର,

ମଘବା ପଦକୁ ତୁଚ୍ଛ ମଣିବ ସେ

ଯା’ ଗଳାକୁ ଯିବ ହାର ।

ଇନ୍ଦୁମତୀ ସଙ୍ଗେ ଥିଲା ସୁବୟସୀ

ସୁନନ୍ଦା ସୁବିଚକ୍ଷଣା,

ରାଜଗଣଙ୍କର କୁଳଣଶୀଳ ସବୁ

କଥା ତାକୁ ଥାଏ ଜଣା ।

ପ୍ରଥମେ ମଗଧ ନାଥଙ୍କ ଛାମୁକୁ

ଜେମାକୁ ନେଇ ମହିଳା

ଲଳିତ ବଚନେ ତାଙ୍କ ଯଶ ଗୁଣ

ଚୟ ବିସ୍ତାରି କହିଲା ।

‘‘ ଚାହାଁ ଲୋ ସୁନ୍ଦରି! ପୁରତେ ମଗଧ

ପତି ଜଗଦେକଇନ୍ଦୁ,

ମହୀ-ମହିଳାର ଲଲାଟମଣ୍ଡିତ

ସୁରମ୍ୟ ସିନ୍ଦୂର ବିନ୍ଦୁ ।

ପରଜାବତ୍ସଳ ଦେବପରାୟଣ

ରୂପ ଅତି ଅଭିରାମ,

ପ୍ରବଳ ପ୍ରତାପୀ ପରବଳତାପୀ

ସ୍ୱାର୍ଥ-ପରନ୍ତପ ନାମ ।

ଶାରଦୀୟ ଚନ୍ଦ୍ର ସମୀପେ ରୋହଣୀ

ପରାୟେ ହୁଅ ଶୋଭନ ।’’

ମୁହଁ ମୋଡ଼ି ଦେଇ ସେଠାରୁ ଗମନ

କଲା ସେ ଗଜଗାମିନୀ,

ନିଶାକରଠାରେ କେବେ କି ପ୍ରସନ୍ନା

ହୋଇଅଛି କମଳିନୀ

କିଶୋରମଣିକି ତହୁଁ ପ୍ରିୟସଖୀ

ନେଇ ଅଙ୍ଗପତି ପାଶେ,

ରାଜାଙ୍କ ସୁନ୍ଦର ପଣକୁ ବଖାଣି

କହିଲା ମଧୁର ଭାଷେ

‘‘ଦେଖ ଖଞ୍ଜନାକ୍ଷି! ବିଜେ କରିନ୍ତି

ଦ୍ୱିତୀୟ ଅନଙ୍ଗରୂପ,

ନବୀନ କିଶୋର ମୁକୁଟ ଏହିଟି

ଅଙ୍ଗମଣ୍ଡଳର ରୂପ ।

ଅତିସୁକୁମାର ନୃପତିକୁମାର

ନିଖିଳଗୁଣମଣ୍ଡିତ,

ବିଭବସମ୍ପନ୍ନ ଅତି ବିଚକ୍ଷଣ

ନାନା ବିଦ୍ୟାରେ ପଣ୍ଡିତ ।

ପରିପନ୍ଥୀକୁଳ ଭୟଦ ବୀର ଏ

ସୁହୃ-ଦଶୁଭଦ-ଧୀର,

ନୀତି ବିଶାରଦ ସମରକୁଶଳ

ଦୃଷ୍ଟିଭେଦ ଯା’ର ତୀର ।

ନୟନଶୁଭଗ ସୁନ୍ଦର ମୂରତି

ଅପସରୀଲୋଭନନୀୟ,

ଧରଣୀମଣ୍ଡଳ ଅଟନ୍ତି ଏ ତୋର

ପତିପଦେ ଶୋଭାନୀୟ ।’’

ଗନ୍ଧାଢ଼୍ୟ ହେଲେହେଁ ଭ୍ରମରୀରେ ଯଥା

କେତକୀ ନୁହେ ସେବିତ,

ତରୁଣ ରୂପରେ ରାଜନନ୍ଦିନୀର

ଚିତ୍ତ ନ ହେଲା ମୋହିତ ।

ତହୁଁ ନେଇ ତାକୁ ଅବନ୍ତୀନୃପତି

ସମକ୍ଷରେ ସହଚରୀ

ବୋଲେ,‘‘ଦେଖ ଦେଖ ଥରେ ଚଳାପାଙ୍ଗି!

ପୁରତେ ନୃପକେଶରୀ

ଦାର୍ଘ କଳେବର ମହାଶକ୍ତିଶାଳୀ

ବୃଷସ୍କନ୍ଧ ବିରବର,

ନୃପତିଶାର୍ଦ୍ଦୁଳ ସମାଜେ ଦିଶନ୍ତି

କେଶରୀ ପ୍ରାୟେ ଭାସ୍ୱର ।

ଶ୍ରୀମୁଖ–ମୁକୁରେ ଉତ୍ସାହ ସାହସ

ହେଉଛି ପ୍ରତିବିମ୍ବିତ,

କ୍ଷତ୍ରିୟଧର୍ମ କି ବୀରରସ ଅବା

ବିଗ୍ରହ ଧରି ଶୋଭିତ ।

ରାଜଧାନୀ ପାଶେ ବହେ ଯା’ର ସ୍ୱଚ୍ଛ

ନୀରା ଶିପ୍ରା ସ୍ରୋତସ୍ୱିନୀ,

କଳ ରାଜହଂସ ରାଜି ବିରାଜିତ

ଗନକଲ୍ଲୋଳମାଳନୀ ।

ରମ୍ୟ ଶୁଭ୍ର ଅଭ୍ରଂ- ଲିହାଗ୍ର ବିଚିତ୍ର

ରାଜପ୍ରସାନ ତା ତୀରେ,

ସଦା ସମୁଜ୍ଜ୍ୱଳ ମହାକାଳ-ଶିର

ସୁଧାକର କୌମୁଦୀରେ

ଶିବସେବାର୍ଥିନୀ ବାମାଏ ପ୍ରଭାତେ

ଶିପ୍ରାସ୍ରୋତେ କରି ସ୍ନାନ,

ଶିବ ପୂଜି ମୃଦୁ ମଧୁସମ ସ୍ୱରେ

କରନ୍ତି ସଙ୍ଗୀତ ଗାନ ।

ପ୍ରତିଧ୍ୱନି ଛଳେ ଦେଉଳହିଁ ତାଙ୍କ

ରାଗିଣୀରେ ଯୋଗ ଦିଏ,

ସେ ସଙ୍ଗୀତ ଶୁଣି ନରଦମ୍ଭ କେତେ,

ତରଳିଯିବେ ପବିଏ ।

ରତ୍ନବିଖଚିତ ଚାମର ଢାଳନ୍ତି

ପାଶେ ବାରବାମାକୁଳ

କ୍ଷୀଣକଟିତଟେ ଶୋଭା ଦିଶେ ତାଙ୍କ

ସ୍ୱର୍ଣ୍ଣପୁଷ୍ପିତ ଦୁକୂଳ ।

ସେହି ଶୋଭାଶାଳୀ ପୁରେ ପୁଜନୀୟା

ଲକ୍ଷ୍ମୀ ହେବାକୁ ଲାଳସ

ଥିଲେ, ଧର ଏହି ନରବରଙ୍କର

ସୁନ୍ଦର କର-ସାରସ ।’’

ନିଶାନ୍ତ ଉଦିତ ଭାର୍ଗବ ନିକଟୁଁ

ଚଳଇ ଯଥା ଯାମିନୀ ।’’

ମୃଦୁ ପାଦାଚାରେ ତହୁଁ ଚାଲିଗଲା

ମତ୍ତମାତଙ୍ଗଗାମିନୀ ।

ତହୁଁ ମତ୍ତକାଶୀ କାର୍ତ୍ତବୀର୍ଯ୍ୟବଂଶୀ

ପ୍ରତୀପ ନୃପତି ଆଗେ,

କ୍ଷଣପ୍ରଭା ପ୍ରାୟେ କ୍ଷଣେ ଦେଖାଦେଇ

ଗମନ କଲେ ବିରାଗେ ।

ମଥୁରାନରେଶ ସମୀପରେ ଠିଆ

ହୁଅନ୍ତେ ସେ ବରାଙ୍ଗନା,

ସମ୍ବୋଧନ କରି ଉଚ୍ଚଭାଷେ କହେ

ବୟସୀ ପିକବଚନା

‘‘ଶୁଣିଥିବୁ ଶଶି ମୁଖି! ବୃନ୍ଦାବନ

ପ୍ରକୃତି- ଶୋଭାସଦନ,

ସ୍ଥାନେ ସ୍ଥାନେ ଚାରୁ ଲତାକୁଞ୍ଜପୁଞ୍ଜ

ତମ୍ବୁ ଟେକିଛି ମଦନ ।

କୁସୁମିତ ହୋଇ ଶୋଭା କେତେ ତହିଁ

ତରୁସମାଶ୍ରିତା ବଲ୍ଲୀ,

ଦିଗ ମମୋଦିତ କରନ୍ତି ବିକଶି

ମାଧବୀ ମାଳତୀ ମଲ୍ଲୀ ।

ମନ୍ଦାନିଳ ହସ୍ତେ ତୋଳାଇ ପ୍ରଭାତେ

ପ୍ରଫୁଲ୍ଲ ପ୍ରସୂନାବଳୀ,

ପ୍ରକୃତି-ସୁନ୍ଦରୀ ଦେଉଥାଏ ନିତି

ସ୍ମରଶଷିରେ ପୁଷ୍ପାଞ୍ଜଳି ।

ସଚପଳ ନବ ଘନପଟଳକୁ

ହସଇ ଯା ବୀଚିବଲ୍ଲୀ,

ଅଙ୍କେଧରି ଦଗ୍‌ଧ- ରଜତବରଣ

ନଟପଟୁ ମୀନାବଳୀ ।

ପ୍ରବାହିତ ବନ ମଧ୍ୟରେ ଯମୁନା

ଜମ୍ଭୁଶ୍ୟାମରୁଚି ଧାରା

ବନ-ଲକ୍ଷ୍ମୀଙ୍କର ଉରସୁଶୋଭିତ

ଇନ୍ଦ୍ରନୀଳମଣିହାରା ।

ଘନ କିଶଳୟ କନମ୍ପକାନନ

ମନୋହର ଚୂତବନ,

ଶୁଭେ ଯହିଁ ସଦା ପିକଦମ୍ପତିର

ଶ୍ରବଣ ସୁଭଗ ସ୍ୱନ

ଜମ୍ବୁବନେ ଯହିଁ ଶୁକୁକୁଳ ବସି

ସୁଖେ କରନ୍ତି ବିଶ୍ରାମ,

କପୋତଯୁଗଳ କୁହୁ କୁହୁ ରାବେ

ମୁଖରିତ ଯେଉଁ ଧାମ ;

ସେ ବିପିନତଟ ବିହାର ରସିକ

ଏହି ନରଥାଥଙ୍କର

କର କଞ୍ଜ ଧରି କରକ-ରଦନି !

ବିଳାସରେ ଦିନ ହର ।’’

ତହିଁରେ ଚତୁରୀ ବରବର୍ଣ୍ଣିନୀର

ମାନସ ଭୁଲିଲା ନାହିଁ,

ମାନସର କେଳି ଲାଳସୀ ମରାଳୀ

କସାରେ ରସିବ କାହିଁ ?

ତଦନ୍ତେ ଚାହିଁଲା ଅଗ୍ରତେ ମହେନ୍ଦ୍ର

ଶୈଳ-ଅଧିତ୍ୟକାଚାରୀ

ରଙ୍ଗେ ବସିଥିଲେ ଦାକ୍ଷିଣାତ୍ୟ ମହୀ

ପତି ବୀରପଦଧାରୀ ।

ଲବଙ୍ଗଲତାର କୁସୁମ ସୁବାସେ

ପୁର ଯା’ର ସୁରଭିତ,

ରମଣୀମଣିର କରୁଣା-ବିହୀନେ

ହେଲେ ଅତି ସନ୍ତାପିତ ।

ତତ୍ପରେ ନୟନ ଅୟନେ ଆଗତ

ପାଣ୍ଡ୍ୟ ଦେଶ ଅଧୀଶ୍ୱ‘ର,

ପଣ୍ଡୁ ମହାରାଜା ରିପୁଭୟଦାୟୀ

ଯା’ର ବ୍ରହ୍ମଶିରା ଶର ।

ଶୌର୍ଯ୍ୟ-କୀର୍ତ୍ତ-ରବି ପ୍ରଣ୍ଡ କିରଣ

ଭବେ ଯା’ର ପ୍ରକାଶିତ,

ଥାଉ ମନ ଜନ ପ୍ରତାପରେ ଯା’ର

ରାବଣ ସଦା ଶଙ୍କିତ।

ମଳୟ ଶଇଳ ନାନା ଉପହାରେ

ସେବା କରେ ଯା ପୟରେ,

ଇନ୍ଦୁମତୀ ତାଙ୍କୁ ନିମଜ୍ଜାଇ ଦେଲା

ଲଜ୍ଜା –ଜଳଧି –ପୟରେ,

ବାଳା-ଭାଗିରଥୀ ପ୍ରୟାଣ ରହିଛି

ସାଗରସଙ୍ଗମ ପାଇଁ,

ଉପନଦୀ ପରି ରାଜାଙ୍କର ଚିତ୍ତ

ତା’ ପଛେ ଗଲେ ଗୋଡ଼ାଇ ।

ତହୁଁ ଚାହିଁଦେଲା ତରୁଣରତନ

ଶତମଦନସୁନ୍ଦର,

ଦିବାକରକୁଳ ସମୁଦ୍ରସମ୍ଭୂତ

ସୁବିମଳ ସୁଧାକର ।

ମୁଖଣ୍ଡଳରୁ ଦରହାସ-ସୁଧା-

ଧାର ଯାଉଅଛି ସ୍ରବି,

ଚାହିଁ ରାଜସୁତା ଚିତ୍ତ-ଚନ୍ଦ୍ର-ଶିଳା

ସହଜରେ ଗଲା ଦ୍ରବି ।

ହୃଦ-ସରସୀରେ ପ୍ରେମ-କୁମୁଦିନୀ-

ବନହେଲା ବିକଶିତ,

ନେତ୍ର –ଜୀବଞ୍ଜୀବ ରଙ୍ଗେ ନୃତ୍ୟକଲା

ହୋଇ ଅତିଉଲ୍ଲାସିତ ।

ଅନିମେଷନେତ୍ରେ ଚାହିଁ ଜେମାମଣି

ମନେ ମନେ ହେଲା ସୁଖୀ,

ନବୋଦିତ ସୂର୍ଯ୍ୟ- ମଣ୍ଡଳ ଚାହିଁଲେ

ପ୍ରାତେ ଯଥା ସୂର୍ଯ୍ୟମୁଖୀ ।

ସଂଶୟିତ ମନେ ଭାବୁଥିଲେ ଅଜ

ଲଭିବି କି ନା ଶୁଭାଙ୍ଗୀ,

ବାମତରେ ବାହୁ ସ୍ପନ୍ଦ ହୋଇ ସେହି

ସଂଶୟକୁ ଦେଲେ ଭାଙ୍ଗି ।

ଜେମା ମନ ଜାଣି କହିଲା ସୁନନ୍ଦା

ସବିସ୍ତରେ ଅଜ ଯଶ,

‘‘ ଏହିଟି ଅମଳ- କମଳଲୋଚନି !

ରବିବଂଶ-ଅବତଂସ ।

ନୟନର ପ୍ରୀତି ସମ୍ପାଦେଇ ଆହା

ମୁରତି କି ମନହୋର,

ଜାନୁଲମ୍ବି –ଭୁଜ ପ୍ରସନ୍ନ ବଦନ

ସୁଢ଼ଳିତ କଳେବର ।

ରାଜଲକ୍ଷ୍ମୀଙ୍କର ହୃଦରତ୍ନାହାର

ରଘୁ ରାଜାଙ୍କର ସୁତ,

ଶ୍ରୀଅଙ୍ଗରେ ରହି ଅଳଙ୍କାରମାନେ

ହୋଇଛନ୍ତି ଅଳଙ୍କୃତ ।

ରଘୁ ମହାରାଜ ପ୍ରବଳ ପ୍ରତାପୀ

ଅଦ୍ୱିତୀୟ ଧନୁର୍ଦ୍ଧର,

ଧନୁର୍ନାଦ ଯା ’ର ଶୁଣି ଅବିଳମ୍ବେ

ସଭୟେ କିନ୍ନରେଶ୍ୱର(୧)

ରଜନୀରେ କଲେ ଅଶେଷ ସୁବର୍ଣ୍ଣ

ରାଜକୋଷେ ବରଷଣ,

ସ୍ୱର୍ଣ୍ଣରାଶି ଦେଇ ନୃପତିପୁଙ୍ଗବ

ତୁଷ୍ଟ କଲେ ମୁନିମନ ।

ପିତୃକୃତ ଶତ ତମ ଅଶ୍ୱମେଧେ

ଯାଇ ଅଶ୍ୱସଂରକ୍ଷଣେ,

ତୁରଙ୍ଗମଚୋର ବଜ୍ରଧର ସଙ୍ଗେ

ମାତିଗଲେ ମହାରଣେ ।

ଅମୋଘ କୁଳିଶ ମୋଘ ହୋଇଗଲା

ପଡ଼ି ରଘୁ ଶିଶୁ ଅଙ୍ଗେ,

ସୁରପତି ଦେଇ ବହୁ ଧନ୍ୟବାଦ

ସନ୍ଧି କଲେ ରଘୁ ସଙ୍ଗେ ।

ଦିଗ୍‌ବିଜୟ କରି ବଜାଇଅଛନ୍ତି

ଚୌଦିଗେ ବିଜୟବାଜା,

ଅଖିଳ ଧରଣୀ- ମଣ୍ଡଳରେ ଏକ

ଚକ୍ରବର୍ତ୍ତୀ ମହାରାଜା ।

ନୃପତିମଣ୍ଡଳ ନତଶିର ହୋଇ

ପୂଜୁଛନ୍ତି ରଘୁ ପଦେ;

ରଘୁଙ୍କ ଭବନ ହୋଇଅଛି ପୂର୍ଣ୍ଣ

ଦେବଦୁର୍ଲ୍ଲଭ ସମ୍ପଦେ ।

ହିମାଦ୍ରି-ନିର୍ଝର- ଧୌତ-ରମ୍ଭାବନ-

ବିହାରୀ ବାରଣଗଣ,

ସିନ୍ଦୂରଚିତ୍ରିତ- ମସ୍ତକେ ପ୍ରାଙ୍ଗଣେ

କରୁଛନ୍ତି ବିଚରଣ ।

କଇଳାସ ଗିରି ଉପତ୍ୟକାଚାରୀ

ଚମରୀ ଶ୍ୱେତ ଚାମର,

ଶୋଭା ସମ୍ପାଦଇ ଶିରେ ସଞ୍ଚାଳିତ

ହୋଇ ମହାରାଜାଙ୍କର ।

ହିମଗିରି ଗୁହା- କୁଞ୍ଜେ ଯେଉଁ ମଣି

ନାଶୁଥିଲେ ଅନ୍ଧକାର,

ପୁଞ୍ଜ ପୁଞ୍ଜ ହୋଇ ସଦା ଉଜ୍ଜ୍ୱଳିତ

କରୁଛନ୍ତି ନୃପାଗାର ।

ମହୋଦଧି ତୁଙ୍ଗ ତରଙ୍ଗକ୍ଷାଳିତ

ଉଜ୍ଜ୍ୱଳ ମୁକ୍ତାପଟଳ,

ମାଳ ମାଳ ହୋଇ ରାଜପୁରେ କେତେ

ଝୁଲି ଦିଶେ ଝଲମଲ ।

ଅମରାବତୀକି ହସେ ରାଜଧାନୀ

ସୁନ୍ଦରୀ ସନ୍ଦରପଣେ,

ସୁଧାଧବଳିତ ବଦନକୁ ଚାହିଁ

ସରଯୂନିର ଦର୍ପଣେ ।

ସରଯୂତଟସ୍ଥ ରମ୍ୟ ଉପବନ

ସୁବାସ ପୁଷ୍ପପରାଗ,

ବୋଲିଦେଉଥାଏ ନଗରୀ ଅଙ୍ଗରେ

ବହି ଅତି ଅନୁରାଗ ।

ବିଳାସନୀକୁଳ ମୃଦୁଳ ଅଙ୍ଗୁଳି-

ତାଡ଼ିତ ମୃଦଙ୍ଗନାଦ,

ଅଭ୍ରଙ୍କଷ ସୌଧେ ନିନାଦିତ ହୋଇ

ପୋଷଇ କେତେ ପ୍ରସାଦ ।

ଅବଶ୍ରାନ୍ତ ତହିଁ ବହିଯାଇଥାଏ

ଆନନ୍ଦର ପ୍ରସ୍ରବଣ,

ସୁଷମା-ବାଳାର ଅଟଇ ସେ ପୁର

ବିଚିତ୍ର ରଙ୍ଗସଦନ ।

ମେଦିନୀମଣ୍ଡନେ! ବରମାଲ୍ୟ ଦିଅ

ଏହି ଯବରାଜ ଗଳେ,

ମକରତ-ବୃକ୍ଷେ ହେମ-ଲତା ପ୍ରାୟେ

ଶୋଭା ହେବୁ ଭୂମଣ୍ଡଳେ ।

କେବେ ପୁଷ୍ପବନେ       କେବେ ତୁଙ୍ଗ ସୌଧ

ଚୁଳେ ପ୍ରିୟନାଥ ସଙ୍ଗେ,

ନବ ଯଉବନ କୃତାର୍ଥ କରିବୁ

ବିଳସି କୌତୁକ ରଙ୍ଗେ ।

ସରଯୂପୂଳିନେ ବିହାର ସମୟେ

ତଟସ୍ଥ ପାଦପାବଳୀ,

ମୁଗଧ ବଧୂ ଜାଣି ନବ ଅନୁରାଗେ

ଶିରେ ଦେବେ ପୁଷ୍ପାଞ୍ଜଳି ।

ସରଯୂ ଅନାଇ ମୀନ-ନୟନରେ

ବଢ଼ାଇ ଲହରୀ-କର,

ସ୍ନେହବଶେ ତୋର ପଦପ୍ରକ୍ଷାଳନେ

ହେଉଥିବ ତରତର ।’’

ରାଜସୁତା ଚିତ୍ର- ପ୍ରତିମା ପରାୟେ

ରହିଲା ଅଜଙ୍କୁ ଚାହିଁ,

ଲଜ୍ଜା ଅନୁରୋଧେ ମନୋଗତ ଭାବ

ପ୍ରକାଶି ପାରିଲା ନାହିଁ ।

ସାତ୍ତ୍ୱିକ ଲକ୍ଷଣ ବାଳୀମନୋଭାବ

କରିଦେଲା ସୁପ୍ରକାଶ,

ରଜନୀ ତିମିରେ ଲୁଚିପାରଇ କି

ବନମଲ୍ଲିକାର ବାସ ।

ତା ଜାଣି ସୁନନ୍ଦା ନ ଜାଣିଲା ପରି

ବୋଲେ, ‘‘ରାଜହଂସଗତି !

ଅନ୍ୟ ନରପତି ସମୀପକୁ ଚାଲ

ଯିବା ବଳେ ଯେବେ ମତି ।’’

ତା ଶୁଣି କୁମାରୀ ସୁନନ୍ଦା ଉପରେ

କଲା କୋପଦୃଷ୍ଟିପାତ,

ବନବିହାରଣୀ କରିଣୀ ଯେମନ୍ତେ

ପାଇଲେ ଅଙ୍କୁଶାଘାତ ।

ସୁଶୀଳାମଣି ସେ ସୁନନ୍ଦା ହସ୍ତକୁ

ମାଳିକା ଦେଇ ବଢ଼ାଇ,

କଳକଣ୍ଠସ୍ୱରେ ବୋଲେ ‘‘ଯୁବରାଜ

ଗଳାରେ ଦିଅ ଳମ୍ବାଇ ।’’

ଅନୁଜ୍ଞାତ ହୋଇ ସୁଧାନିଃସ୍ୟନ୍ଦନୀ

କୁସୁମମାଳା ତ୍ୱରିତ,

ନେଇ ସହଚରୀ ଯୁବରାଜହୃଦେ

କରିଦେଲା ବିମଣ୍ଡିତ ।

ବାଜିଲା ବିବିଧ ମଙ୍ଗଳ ବାଜଣା

ବାଜିଲା ମଙ୍ଗଳ ଶଙ୍ଖ,

ଉଚ୍ଚରେ ମଙ୍ଗଳ- ଶ୍ଳୋକ ଉଚ୍ଚାରିଲେ

ସଭାସ୍ଥ ଦ୍ୱିଜ ଅସଂଖ୍ୟ ।

ନୃପ-ତାରକିତ ସଭାଗଗନକୁ

ଘୋଟଲା ବିଷାଦ-ଘନ,

ଅଜ-ହୃଦକ୍ଷେତ୍ରେ ଅବିରଳଧାରେ

ହେଲା ସୁଧା ବରଷଣ ।

ଭାଗ୍ୟବାନ ସଦା ଭାଗ୍ୟଫଳ ଲଭେ

ଅଭାଗା ଲଭେ ଅଶିବ,

ସାଗର-ସନ୍ଥନେ କେଶବ କମଳା,

ଗରଳ ଲଭିଲେ ଶିବ ।

ନାପତିମାନେ ଶିବିରକୁ ଗଲେ

କପାଳରେ ମାରି କର,

ଭୋଜରାଜ ଗଲେ       ରାଜଭବନକୁ

ସଙ୍ଗେ ଘେନି କନ୍ୟା ବର ।

ରତ୍ନବିଖଚିତ ପରିସ୍ତୋମା(୧) ବୃତ

କରେଣୁ ପୃଷ୍ଠରେ ବସି,

ଶଚୀ ଶକ୍ରପରି ନବବଧୂ ସଙ୍ଗେ

ବିଜେ ବିଭାବସୁବଂଶୀ ।

ନଗରବାସୀଏ ଅବଗତ ହୋଇ

ବର ଶୁଭ ଆଗମନ,

ପୂର୍ଣକୁମ୍ଭମାନ ତୋରଣେ ତୋରଣେ

କରିଥିଲେ ସଂସ୍ଥାପନ ।

ରଞ୍ଜନୀୟ ବେଶ ଧରିଥିଲେ ପୁଣି

ପୁର ଅଟ୍ଟାଳିକାରାଜି,

ଭାଲେ ସହକାରେ- ପଲ୍ଲବତୋରଣ

ଚିକୁରପନ୍ତିକୁ ସାଜି ।

ହେଇଥାଏ ରମ୍ଭା- ପାଦପ ପ୍ରୋଥିତ

ବେନି ପାର୍ଶ୍ୱେ ରାଜପଥେ,

ମନ୍ଦାନିଳେ ମନ୍ଦେ ଦୋହଲି ଦୋହଲି

ନାଚୁଥାନ୍ତି ଅବିରତେ ।

ଯେତେବେଳେ ରାଜ ପଥେ ବିଜେ ଅଜ

ସଙ୍ଗେ ବରଯାତ୍ରିକଦଳ,

ନଗର ମଧ୍ୟରେ ଉଠିଗଲା ମହା-

ଆନନ୍ଦରେ କୋଳାହଳ ।

ମନୋହର ବର ଦର୍ଶନ ଲାଳସେ

ପୁରନରନାରୀଗଣ,

କୌତୁକ-ନଦରେ ମନ-ତରୀ ମେଲି

ସତ୍ୱରେ କଲେ ଗତି,

ସ୍ରସ୍ତ(୨) ବସନକୁ ହସ୍ତ ପଦ୍ମେ ଧରି

ଧାଇଁଲା କେଉଁ ଯୁବତୀ ।

ମୁଖରିତ କଲା ସୌଧ ଗର୍ଭକୁ ଯା

ଚରଣଭୂଷଣ ଧ୍ୱନି,

ବର ବିଜୟକୁ ମଙ୍ଗଳ-ସଙ୍ଗୀତ

ଗାଇଲା ସିନା ଅବନୀ ।

ଗତିବେଗେ କାହା ଖୋଷା ଫିଟି ଖସି-

ପଡ଼ୁଥିଲା ପୁଷ୍ପଗଭା,

ରାହୁକବଳରୁ ଚନ୍ଦମାମଣ୍ଡଳ

ମୁକ୍ତ ହୋଇଗଲା ଅବା ।

ସୁନୀଳ ନିର୍ମଳ ଗଗନକୋଳରୁ

ସ୍ଖଳିତ ତାରକା ତୁଲ,

କେ ଘନକୁନ୍ତଳା ଚାରୁ କବରୀରୁ

ଖସିଯାଉଥିଲା ଫୁଲ ।

କେ ରଙ୍ଗଦୁକୂଳ କେହି ପୀତଚେଳ

କେବା ଶୁକ୍ଳାମ୍ବର ଶାଢ଼ି

ପହରିଥିଲେ ତ। ବରଙ୍ଗାନାମାନେ

ଠିଆହେଲେ ଧାଡ଼ି ଧାଡ଼ି ।

ନାରୀ ନୁହନ୍ତି ସେ ନଗରୀ-ଲଳନା

ସୁରମ୍ୟ କୁସୁମହାର,

ମଲ୍ଲିକା ଚମ୍ପକ ସଙ୍ଗରେ ମିଶାଇ

ଗୁନ୍ଥା ହୋଇଛି ମନ୍ଦାର ।

ଅଥବା ଗୋମେଦ ପଦ୍ମରାଗ ସଙ୍ଗେ

ମୁକୁତା ଗ୍ରଥିତ ମାଳି,

ଅତି ସ୍ନେହଭାବେ ହୃଦୟ ଉପରେ

ଘେନିଛି ନଗରୀ-ବାଳୀ ।

ଗବାକ୍ଷ ସକଳ ପରିପୂର୍ଣ୍ଣ ହେଲା

ଯୁବତୀ-ପଦ୍ମବଦନେ,

କୃତ୍ତିକାସ୍ତବକ ପ୍ରତିବିମ୍ବ କି ସେ

ଦିଶ ଅଶେଷ ଦ୍ପଣେ ।

ଅନୁପମ ବର ବରଶୋଭା ଦେ୍ଖି

ସକଳ ନଗରବାସୀ,

ଆନନ୍ଦ-କଲ୍ଲୋଳ ମତ୍କାର-ଜଳ-

ଜଳଧିରେ ଗଲେ ଭାସି ।

ସ୍ତମ୍ଭଭୂତ ହୋଇ ରହିଲେ ବାମାଏ

ଯେସନେ ହେମ-ପ୍ରତିମା,

ଶ୍ରୁତି ମନସାଦି ଇନ୍ଦ୍ରିୟ ସକଳ

ଆରେ କଲେ ଚକ୍ଷୁସୀମା ।

ପୁଣି ପରସ୍ପରେ କୁହାକୁହି ହେଲେ,

‘‘ ଆହା କେଡ଼େ ସୁକୁମାର !

ନବ ଅବତାର ଧରିଛି କି ହର-

କୋପାନଳଦଗ୍‌ଧ ମାର ?

ନବ ସମୁଦିତ ସୁଧାକର ଜିତ

ବଦନ କେଡ଼େ ରଞ୍ଜନ !

ନୟନଯୁଗଳେ ଦେଉଅଛି ବଳେ

ବୋଳି ସେ ଅମୃତାଞ୍ଜନ ।

କି ନବ ବୟସ ଅଳପ ଅଳପ

ଫୁଟିଆସୁଅଛି ନିଶ,

ଆହାଲ୍ଲାଦକର ଯଉବନ କାନ୍ତି

ପ୍ରତିଭାତ କରେ ଦିଶ ।

ଧନ୍ୟା ଇନ୍ଦୁମତୀ ଅତି ଭାଗ୍ୟବତୀ

ଭାଗ୍ୟେ କଲେ ସ୍ୱୟମ୍ବର,

ଭାଗ୍ୟଦେବୀଙ୍କର କରୁଣା ନ ହେଲେ

ଲଭିଥାନ୍ତେ କି ଏ ବର ?

ରାଜନନ୍ଦିନୀ ସେ ସହଜେ ଚତୁରୀ

ପ୍ରତିଭାଶାଳିନୀ ଧୀରା

ନିର୍ବାଚନ କଲେ ସ୍ଫଟିକମାଳାରୁ

କଷି ଏକମାତ୍ର ହୀରା ।

କରିବରପୃଷ୍ଠେ ବର-ବଧୂ ବେନି

ଦିଶନ୍ତି କେଡ଼େ ସୁନ୍ଦର !

ପୂଳର୍ବାଚଳ-ଚୂଳେ କାନ୍ତା ଘେନି କୋଳେ

ଉଦିତ କି ଦିନକର ? ’’

କହୁଁ କହୁଁ ଅଜ ପରବେଶ ଭୋଜ

ରାଜାଙ୍କ ସିଂହଦୁଆରେ,

ଦର୍ଶକମଣ୍ଡଳ ପ୍ରହରୀ ବାରଣେ

ରହିଗଲେ ସେହିଠାରେ ।

ଅନ୍ତଃପୁରବାସୀ କାମିନୀଏ ଆସି

ସେଠାରୁ କନ୍ୟା-ବରକୁ,

ମହାଆହ୍ଲାଦରେ ଘେନଗଲେ ବେଗେ

ଅନ୍ତଃପୁର ଚତ୍ୱରକୁ ।

କନକ –ବେଦୀରେ ତୋରଣମଣ୍ଡିତ

ରତ୍ନମୟ ଆସ୍ତରଣେ

ବସାଇଲୁ ମଞ୍ଜୁ ହୁଳହୁଳି ଦେଇ

ଅନ୍ତଃପୁର ନାରୀଗଣେ ।

ବର ମନେ ବର ବର୍ଣ୍ଣିନୀ ମନ ଯା

ପ୍ରେମେ ହୋଇଥିଲା ବନ୍ଦୀ,

ଜଗତଜନଙ୍କୁ ଦେଖାଇଲେ କୁଶେ

ପରସ୍ପର କର ଛନ୍ଦି ।

ଅଜ କିଣାଙ୍କିତ କରେ କୁମାରୀର

ପ୍ରବାଳପାଟଳ କର,

ଘନାଞ୍ଚିତ ରଶ୍ମି- ରେଖାରେ ଅରୁଣ

ସଦୃଶ ହେୀଲା ସୁନ୍ଦର ।

କର ସଂସ୍ପରଶେ ପରସ୍ପର ତନୁ

ହୋଇଗଲା ଲୋମାଞ୍ଚିତ,

ମଳୟେ ଯେସନ ପାଦପ ବଲ୍ଲରୀ

ହୋଇଥାନ୍ତି ମୁକୁଳିତ ।

ହୋମ ଅନଳକୁ ସାକ୍ଷୀ କରି ବର-

କନ୍ୟା କଲେ ପ୍ରଦକ୍ଷିଣ,

ସଂକଳପ କଲେ ଆଜୀବନ ପ୍ରୀତି-

ବନ୍ଧନ ନ ହେବ ଛିନ୍ନ।

ଅନଳକୁ ସଦା ପ୍ରଦୀପ୍ତ ଉନ୍ନତ

କରଇ ଅନଳଶିକ୍ଷା,

ପତ୍ନୀ ଯୋଗେ ପତି ସେପରି ହେବାର

ଧର୍ମନୀତି କଲେ ଶିକ୍ଷା ।

ଅନଳ-ପ୍ରଭାରେ ବର ବଧୂଙ୍କର

ମୁଖ ହେଲା ସ୍ୱେଦସିକ୍ତ,

ସ୍ୱେଦେ ବହ୍ନି ବିମ୍ବ ପଡ଼ିବଦନରେ

ପ୍ରଭା ହେଲା ଅତିରିକ୍ତ, ।

ବସନ ଭୂଷଣ ଶୋଭା ପ୍ରଦର୍ଶନ କଲେ

ପ୍ରକାଶି କିରଣଜାଳ ।

ବଧୂ ମୁଖ ଲଜ୍ଜା ବର ବଦନରେ

ପ୍ରହୃଷ୍ଟ ପ୍ରୀତିଲକ୍ଷଣ,

ସେହି ସୁଯୋଗରେ କରି ନେଉଥାନ୍ତି

ପରସ୍ପରେ ଆଲିଙ୍ଗନ ।

ବର-ବଧୂଙ୍କର ପ୍ରଭାପୂର୍ଣ୍ଣ ରୂପ

କରି କରି ଦରଶନ,

ପୁରବାସିନୀଏ ନବୀନ ଆନନ୍ଦ

ଆଲୋକେ ଭରିଲେ ମନ ।

ସ୍ନାତକମଣ୍ଡଳ ଭୋଜରାଜ ନୃପ

ରାଜପ୍ରିୟ ବନ୍ଧୁଗଣ,

ବର ବଧୂ-ଶିରେ ହରିଦ୍ରାରଞ୍ଜିତ

ତଣ୍ଡୁଳ କଲେ ବର୍ଷଣ।

ତା’ ପରେ ତଣ୍ଡୁଳ ବରଷଣ କଲେ

ରମଣୀମଣ୍ଡଳ ଆସି,

କିଙ୍କିଣୀ କଙ୍କଣ ନୂପୁର ନିକ୍ୱଣ

ସହିତ ହର୍ଷ ପ୍ରକାଶି ।

ଆଉ ଯାହା ଥଲା କୁଳପ୍ରଥାମତେ

ପରିଣୟର ବିଧାନ,

ଭୋଜରାଜ ତାହା ସୀମାରୋହ ସହ

କରିଦେଲେ ସମାଧାନ ।

ତହୁଁ ଜେମାମଣି ପରିଜନବର୍ଗ

ଛାମୁରେ କରୁଣ ସ୍ୱନେ,

ଗଦଗଦେ କହି ମେଲାଣି ମାଗିଲେ

ଲୋତକପୂର୍ଣ୍ଣ ନୟନେ ।

ବିନୟରେ କରି ଗୁରୁଜନଙ୍କର

ଚରଣଯୁଗେ ବନ୍ଦନ,

ପ୍ରିୟ ବାକ୍ୟ କହି ସଙ୍ଗିନୀମାନଙ୍କୁ

ପ୍ରେମ କଲେ ଆଲିଙ୍ଗନ ।

କାନ୍ତ ଲଭି ସୁଖୀ ପରିଜନଙ୍କର

ବିରହେ ମନ ବିରସ,

ଜେମା ହୃଦୟରେ ଆନନ୍ଦ-ରସରେ

ମିଶିଗଲା ଶୋକ –ରସ ।

ଭଗିନୀ ବିଦାୟ କଲେ ଭୋଜରାଜ

ଦେଇ ବହୁବିଧ ଧନ,

ଆପେ ତିନି ଦିନ ସଙ୍ଗେ ସଙ୍ଗେ ଯାଇ

ଫେରିଲେ ନିଜ ଭବନ।

ଯୁବରାଜ      ନିଜ ଦଳବଳ ଘେନି

ପ୍ରିୟା ସଙ୍ଗେ ରମ୍ୟରଥେ,

ବସି ନିଜ ରାଜ୍ୟ ଅଭିମୁଖ ହୋଇ

ଚଳିଯାଉଥିଲେ ପଥେ ।

ରମଣୀରତନ ଲାଭରୁ ବଞ୍ଚିତ

ହୋଇ ନୃପତିକଳାପ,

ହୃଦୟ-କାନନେ ଈର୍ଷାନଳ ଜାଳି

କରୁଛନ୍ତି ମନସ୍ତାପ ।

ମସ୍ତକେ ଆମ୍ଭର ଦେଇଛନ୍ତି

ଦିଗ୍‌ବିଜୟେ ରଘୁ କାଲି,

ଆଜି ତାଙ୍କ ପୁଅ ସଭାରେ ଆମ୍ଭର

ବଦନେ ଘଷିଲେ କାଳି ।

ଏତେ ଅପମାନେ କେଉଁ ରୂପେ ଯାଇ

ପୁରେ ଦେଖାଇବା ମୁଖ,

ବାରମ୍ବାର ଏଡ଼େ ଲାଞ୍ଛନାକୁ ସହି

ଜିଇଁବାର ବଡ଼ ଦୁଃଖ।

କ୍ଷତ୍ରିକୁଳେ ଜନ୍ମି କା ପୁରଷପଣେ

ଜିଇଁଲେ ଜୀବିତ ଯେବେ,

କହ ଭବେ ଆଉ ଜୀବନ୍ମତ ବୋଲି

କାହକୁ କନ୍ତି ତେବେ ?

କନ୍ୟାଟିକି ଘେନି ଅଜ ଯାଉଅଛି

ଆଚ୍ଛାଦି ସୈନିକ-ଜାଲ,

କପୋତ-ଦମ୍ପତି ପରାୟେ ତାହାକୁ

ବାନ୍ଧି ଘେନିଯିବା ଚାଲ ।

ଏକମେଳେ ହେଲେ ବିଶ୍ୱଭନରେ

ଅସାଧ୍ୟ ହୁଏ ସହଜ,

ସୂକ୍ଷ୍ମ ଶଣସୂତ୍ର ମେଳ ହେଲେ ଦେଖ

ବନ୍ଧ ହୁଏ ମତ୍ତଗଜ ।

ଏମନ୍ତ ବିଚାରି ନରପତିମାନେ

ସଦର୍ପେ କରି ଗମନ,

ବହୁ ଦଳବଳ ସହ ଯୁବରାଜ

ପ୍ରତି କଲେ ଆକ୍ରମଣ ।

ଦେଖିଲେ କୁମାର            ଭୟଙ୍କରରୁପୀ

ବରଷାକାଳ ସମାନେ,

ଅସଂଖ୍ୟ ବାହିନୀ ଘେନି ଆସୁଛନ୍ତି

ବିଦ୍ୱେଷୀ ନରେଶମାନେ ।

ଖଡ୍‌ଗ ତଲବାର ଚପଳା ଝଲକେ

ସ୍ତନିତ ଗଜଗର୍ଜନ,

ପତାକା ଉଡଡ଼ୀନ ବକପନ୍ତି, ସେନା

ତର୍ଜନ ଡାହୁକସ୍ୱନ ।

କେତକୀ ଶାଣିତ କରବାଳପୁତ୍ରୀ

ଧନୁ ଇନ୍ଦ୍ର ଶରାସନ,

ଘେନି ଅଜ-ଭାନୁ ଗାସ ଲାଳସରେ

ଧାଉଁଛନ୍ତି ସୈନ୍ୟ-ଘନ ।

ଅଜ-ସେନାନଳେ ବର୍ଷଣ କରିବେ

ଅବିଳ ଶରଧାର,

ଜାଣି ଯୁବରାଜ ଅମାତ୍ୟକୁ ଦେଲେ

ପ୍ରିୟାସଂରକ୍ଷଣ ଭାର ।

ଧରି ଧନୁଶର ହେଲେ ଅଗ୍ରସର

ରଣସ୍ଥଳୀକ ଆପଣେ,

ନିଜ ବାହିନୀକି ଉତ୍ତେଜନା କରି

କହିଲେ,‘‘ ହେ ବୀରଗଣେ !

ଦେଖ ଦେଖ ବାବୁ, ଧାଇଁ ଆସୁଅଛି

ଆତତାୟୀ-ଅକୂପାର,

ଭୁଜବଳ-ପୋତ ଅବଲମ୍ବନରେ

ଆସ ହୋଇଯିବା ପାର ।

ପୋତ-ମଜ୍ଜନକୁ ଭୟ ନ କରିବେ

ଅଜ ଯହିଁ କର୍ଣ୍ଣଧାର,

ପ୍ରାଣପଣେ ରଣେ ଅଗ୍ରସର ହୋଇ

ରିପୁବଳ ବେଗେ ମାର ।

ସଂଗ୍ରାମରେ ନାଶ ହେଲେ ସ୍ୱର୍ଗବାସ,

ଜିତିଲେ ଭୋଗ ସମ୍ପତ୍ତି,

ପଶ୍ଚାତ୍‌ପଦ ହେଲେ ଅପଯଶ ଲଭି

ସହଜେ ନରକଗତି ।’’

ରଥୀ ସଙ୍ଗେ ରଥୀ ପଦାତି ପଦାତି

ଆଧୋରଣେ ଆଧୋରଣ ।

ସାଦିବର ସଙ୍ଗେ ସାଦିଏ ଯୁଝିଲେ

କର ଧରି କରବାଳ,

ସମରକ୍ଷେତ୍ରକୁ ତିମିରେ ଆବୃତ

କରିଦେଲେ ଶରମାଳ ।

ଯୋଦ୍ଧୃଗଣ ତହିଁ ଆତ୍ମ-ପର ବଳ

ବାରି ତପାରିଲେ ନାହିଁ,

ଆପେ ଆପାଣାର ଦଳ ସଙ୍‌ଗେ ରଣ-

ରଙ୍ଗେ ମାତିଗଲେ କାହିଁ ।

ନୃପଗଣ ସଙ୍ଗେ ଯୁଝିଲେ ନିଃଶଙ୍କେ

ଏକା ଅଜ ମହାବଳୀ,

ଦନ୍ତାବଳଯୂଥେ କେଶରୀ ପରାୟେ

ରିପୁ ଦେଉଥାନ୍ତି ଦଳି ।

କ୍ଷଣେ ଧନୁଷ୍କର କ୍ଷଣେଖଡ୍‌ଗପାଣି

କ୍ଷଣେ କ୍ଷଣେ ଧରି ଗଦା,

ପ୍ରହାର-ଘାତରେ ରିପୁ କାନନକୁ

କରି ଦେଉଥାନ୍ତି ପଦା ।

ରାଜଗଣ ଥରେ ଥରେ ଚୌଦିଗରୁ

ବେଢ଼ି ହୋଇ କୋପଭର,

ଅଙ୍କ ଉପରେ ଅବିଚ୍ଛନ୍ନ ଧାରେ

ବରଷାଉଥିଲେ ଶର ।

ଅଜ ପ୍ରତିଶରେ ଶତ ଖଣ୍ଡ କରି

ଆଗତ ମାର୍ଗଣାବଳୀ,

ଆପେ ପରଚଣ୍ଡ ଆଶୁଗରେ ଛାଇ

ଦେଉଥିଲେ ରଣସ୍ଥଳୀ ।

ଏହିରୂପେ ବେଳୁଁ ବେଳ ଲାଗିଗଲା

ସମର ଭୀଷଣତର,

ଦିଗ ଅନ୍ଧାରିତ ଦିଶୁଥିଲା ଏକା

ଆଶୁଗପ୍ରଭା ମାତର ।

ଥରେ ହୋଇଗଲା ରଣସ୍ଥଳ ଲୋମ

ହରଷଣ ରଙ୍ଗାଳୟ,

ଗାଉଥିଲେ ଗୀତ ଗଜ-ବାଜିଗଣେ

ଉଚ୍ଚେକରି ତାନ ଲୟ ।

ବାଉଥିଲେ ଧନୁ- ବୀଣା ବୀରଗଣେ

କବନ୍ଧର ହୁଏ ନାଟ,

ଦେଖୁଥଲେ ତାହା ଦିଗଙ୍ଗନାମାନେ

ଘେନି ବେନି କୁଳ ଥାଟ ।

ଥରେ ହେଉଥାଏ ପ୍ରବଳ ବାହିନୀ

ଭୟାବହ ପ୍ରବାହିନୀ,

ବାରଣ ସଂହତି- ଶିଳାବିଷମରେ

ଘୋର ସଙ୍କଟଦାୟିନୀ       

ହୁଙ୍କାର ଗର୍ଜିତ ଘନ ରକ୍ତସ୍ରୋତ

ଫେନିଳ ଶିରସ୍ତ୍ରଜାଲେ,

ଚଟୁଳଭାବରେ ତରିବାର ଆଶେ

ଆଶ୍ରେ କରି ଚାପ-ତରୀ,

ରିପୁ-ଗଣ୍ଡ ମଧ୍ୟେ ବାହିନେଉଥିଳେ

ମାର୍ଗଣ-କ୍ଷେପଣୀ ଧରି ।

ପୁଣି ଅଜ ଅଙ୍ଗେ ଶରବୃଷ୍ଟି କଲେ

ଅଗଣିତ ରାଜବୀର,

ଯବରାଜଙ୍କର ଗଭୀର ହୃଦୟ

ନ ହେଲା ତିଳେ ଅଧୀର ।

ଆପେ ଛାଡ଼ିଦେଲେ ପ୍ରସ୍ୱାପନ ବାଣ

ବାଣବାର ବେଗେ ଯାଇ,

ସମରବ୍ୟଥିତ ରାଜସେନାବୃନ୍ଦ

ନିଦ୍ରାରେ ଦେଲା ମଜ୍ଜାଇ ।

ନିଦ୍ରା ଭଜିଲା କେ ସ୍ୟନ୍ଦନ ଉପରେ

କେବା ଗଜ-ବାଜି-ସ୍କନ୍ଧେ,

କେ ଅବା ଲୋହିତ ପ୍ଳାବିତ କୋମଳ

ଧରଣୀତଳେ ସ୍ୱଚ୍ଛନ୍ଦେ ।

ରଣ ଜୟ କରି ଯୁବରାଜ କଲେ

ଶଙ୍ଖନାଦ ଘନ ଘନ,

ନାଚିଲେ ତାଙ୍କର ସୈନିକ ନିକର

ହୋଇ ହରଷିତମନ      

ଆତ୍ମ-ପର ବଳ ବିଚାର ନ କରି

କ୍ରୋଧବଶ ହେଲେ ଜନ,

ଏହିରୂପେ ମହା ସଙ୍କଟ –ସାଗର

ଗର୍ଭେ ହୁଅନ୍ତି ପତନ ।

ସୁଷୁପ୍ତିଜଡ଼ିତ ହୋଇ ପଡ଼ିଥିଲେ

ସର୍ବେ ରାଜସେନାଗଣେ ।

ଚାହିଁଥିଲେ ଅଜ ଅକ୍ଳେଶ,ରେ ନାଶ

କରିଥାନ୍ତେ ସେହିକ୍ଷଣେ ।

ବଳବନ୍ତଠାରେ ବଳବନତ ସିନା

ପ୍ରକାଶଇ ପରାକ୍ରମ,

ବଳହୀନଠାରେ ବଳ ଦେଖାଇବା

ନୁହଇ କ୍ଷତ୍ରିୟ-ଧର୍ମ

ନିଦ୍ରିତ –ନିରସ୍ତ୍ର ଶରଣ ଆଗତ

ଅବଳା ଦୂତ ବାଳକ,

ଏମାନଙ୍କୁ ବଳେ ନାଶ କଲେ ଲାଗେ

ବୀର-ଯଶରେ କଳଙ୍କ ।

ନୀତିପରାୟଣ ନୀତି ଅବଲମ୍ବୀ

ରକ୍ଷାକଲେ ପରଦଳ,

ପ୍ରତିବନ୍ଧକ ନ ଥିଲେହେଁ କୂଳକୁ

ଲଙ୍ଘେ କି ଜଳଧିଜଳ ?

ମହତ ଜନର ଦୟା ସବୁଠାରେ

ସମେ ହୁଏ ବିତରିତ,

କର୍ତ୍ତକ ମସ୍ତକୁଁ ନ କରଇ ତରୁ

ସ୍ୱ-ଛାୟା ଅପସାରିତ ।

ପରଦୁଃଖ ଦେଖି ଦୟାଳୁ ହୃଦୟ

ସହଜରେ ହୁଏ ଦୁଃଖୀ,

ତେଣୁ ରଣକ୍ଳାନ୍ତ ବିପକ୍ଷଦଳକୁ

ସୁପ୍ତି ଦେଇ କଲେ ସୁଖୀ ।

ପରେ ପ୍ରପୀଡ଼ିତ ହେଲେହେଁ ମହତ

ଭାବ ସଦା ଅକର୍କଶ,

ନ ହେଲେ କି ଇକ୍ଷୁ ନିଷ୍ପେଷିତ ହୋଇ

ଦିଅନ୍ତା ମଧୁର ରସ ?

ସୈନ୍ୟ –ସାଗରକୁ ମନ୍ଥି କଉଶଳେ

ରଣବିଶାରଦ ଅଜ,

ହର୍ଷେ ବିଜେ କଲେ ପ୍ରିୟା ସମୀପକୁ

ପଦ୍ମବନୁ ଯେହ୍ନେ ଗଜ ।

କାନ୍ତ ରଣେ ରତ ଚାହିଁ ନବ କାନ୍ତା

ନେତ୍ରୁଁ ବହୁଥିଲା ନୀର,

ନିଶା ଅବସାନେ ଗଗନମଣ୍ଡଳୁଁ

ଝରଇ ଯେହ୍ନେ ଶିଶିର ।

ସମରବିଜୟୀ ପତିଙ୍କି ଅନାଇ

ଲଭିଲେ ଅମୂଲ୍ର ସୁଖ,

ପଦ୍ମିନୀ-ସୁନ୍ଦରୀ ଦର୍ଶନ କଲା କି

ମେଘମୁକ୍ତ ରବି-ମୁଖ ?

ଯୁବରାଜ ପ୍ରିୟା- ବଦନକୁ ଚାହିଁ

ବୋଲନ୍ତି, ‘‘ଗୋ ବିମ୍ବାଧରି, !

ଦେଖ ଦେଖ ଥରେ ସମରକ୍ଷେତ୍ରକୁ

କଟାକ୍ଷାଳନ କରି ।

ତୋହ ପାଇଁ କେତେ ନୃପତିନନ୍ଦନ

ଦମ୍ବେ ଆସି କ୍ରୋଧବଶୁଁ,

ଅଦୂରଦରଶୀ- ପଣେପ୍ରାଣ ଦେଲେ

ରଣ-ଯଜ୍ଞେ ହୋଇ ପଶୁ ।

କେତେ କେତେ ସେନା ପତଙ୍ଗମ ହେଲେ

ପ୍ରଦୀପ୍ତ ସମରାନଳେ,

ଏ ବାରତା ପାଇ ପରିଜନେ ତାଙ୍କ

ଭାସିଯିବେ ଶୋକ-ଜଳେ ।

କେତେ ନରପତି କୁସମରଚିତ

କୋମଳ ପଲ୍ୟଙ୍କ ଛାଡ଼ି,

ଶବଗଣ ସଙ୍ଗେ ଲୋହିତାକ୍ତ ମୁଖେ

ଶୋଇଛନ୍ତି ମୁହଁ ମାଡ଼ି ।’’

ଶୁଣ ଇନ୍ଦୁମତୀ ତଳକୁ ବଦନ

କଲେ ମନ୍ଦ ମନ୍ଦ ହସି,

ଲଜ୍ଜାବଶୁଁ ସଖୀ- ବଦନେ କହଲେ

କାନ୍ତେ ବଳ ପରହଂସି ।

ଏହି ରୂପେ ରିପୁ-       ଛେଦିତ ନାକରେ

ଲବଣ ଲଗାଇ ଅଜ,

ବିଜେ କଲେ ନିଜ ପୁର ଅଭିମୁଖେ

ଉଡ଼ାଇ ବିଜୟ-ଧ୍ୱଜ ।

 

(ଉତ୍ତର ଭାବ)

 

କୁମାର-ବିରହେ ବ୍ୟାକୁଳହୃଦୟେ

ଅଯୋଧ୍ୟାର ରାଜରାଣୀ,

ଦୁଃଖେ କହୁଛନ୍ତି ସଖୀ ପାଶେ ସୁତ

ଉଦନ୍ତ କିଛଇ ନ ଜାଣି ।

‘‘ ନିଶା ଅବସାନେ       ଦେଖିଲି ଗୋ ଆଜ

ସ୍ୱପ୍ନ ସୁବିସ୍ମୟକର,

ସ୍ମରି ଏତେବେଳେ       ତନୁ ଥରେ ଯଥା

ସମୀରେ ରମ୍ଭାପତର

ମୃଦୁଳବପୁ ମୋ ପୁତ୍ର ଆସୁଥିଲା

ଆରୋହି ଶ୍ୱେତ ବାରଣ,

ଢାଳୁଥିଲା ଶିରେ ପରିଚାରୀ କରି

ଶ୍ୱେତ ଚାମର ଧାରଣ।

ବେନି ପାର୍ଶ୍ୱେ ପୁଣି       ଧବଳ ଚିରାଳ

ଉଡ଼ୁଥିଲା ଫରହର,

ମୋ ପୁତ୍ର ଅଙ୍କରେ ଶୋଭା ପାଉଥିଲା

ଶୁକ୍ଳାମ୍ବରା ବଧୂବର ।

ବିଶାଳ ବକ୍ଷରେ ଝୁଲୁଥିଲା ଚାରୁ

ଧବଳ କୁସୁମହାର,

ଲୀଳା-ପୁଣ୍ଡରୀକ ଢଳା ହେଉଥିଲା

ହସ୍ତେ ନବ ଅବଳାର ।

ଶିରେ ପଡ଼ୁଥିଲା ବିଦ୍ୟାଧର କର

ବିମୁକ୍ତ କୁସୁମରାଶି,

ଚାହିଁ ମୋ ନୟନ- ଦେଖିଲି ଚୌଦିଗେ

ଆକ୍ରମି ନୃପତିଗଣ,

ଏକାକୀ ମୋ ଶିଶୁ       କୁମାର ସଙ୍ଗରେ

କରୁଥିଲେ ଘୋର ରଣ ।

ପର ପରଚଣ୍ଡ ବାଣେ ଫୁଟି ତାର

ସୁକୁମାର କଳେବର,

ଅନର୍ଗଳବାହୀ ରକ୍ତପ୍ରବାହରେ

ହୋଇଥିଲା ଜରଜର ।

କାରୁଣ୍ୟସାଗର ଅବାର୍ଯ୍ୟ ତରଙ୍ଗ-

ପରମ୍ପରା ଉଠି ଖରେ,

ଧୈର୍ଯ୍ୟ-ପୋତେ ମୋର ଗ୍ରାସିଦେଲା ସଖି,

ଚାହୁଁ ଚାହୁଁ କ୍ଷଣକରେ ।

ଅକସ୍ମାତେ ମୋର ସୁଷୁପ୍ତିଭଞ୍ଜନ

ହୋଇଗଲା ସେହିକ୍ଷଣି,

ଉଠି ପଲ୍ୟଙ୍କରେ ବସି ଅନାଇଲି

କାହିଁ ସେ କୁମରମଣି ।

ନବ ବିକଶିତ ନୀପ ପ୍ରାୟେ ତନୁ

ହୋଇଥିଲା କଣ୍ଟକିତ,

ସ୍ୱିନ ହେଲା ପୁଣି ନିଶାନ୍ତେ ଯେସନ

ପଦ୍ମିନୀ ଶିଶିରସିକ୍ତ ।

ତେତକି ବେଳରୁ ନୟନରେ ଆଉ

ନିଦ୍ରା ତ ଆସିଲା ନାହିଁ,

କୁମାର ପ୍ରସଙ୍ଗ ଭାବନାରେ ଏକା

ବିଭାବରୀ ଗଲା ପାହି ।

ଅଦ୍ଭୁତ ସ୍ୱପନ ଦେଖିଲା ବେଳ ମୋ

ମନ ହେଉଅଛି ଘାଣ୍ଟି,

ଶରବିଦ୍ଧ ତନୁ କୁମାରକୁ ସ୍ମରି

ହୃଦୟ ଯାଉଛି ଫାଟି ।

କେମନ୍ତ ଦେଖିବି ଜୀବଜୀବନର

ଅମଳ-କମଳସୁଖ,

କେବେ ଆସି ମୋର ନୟନ –ପ୍ରତିମା

ଦୂରେ ତଡ଼ିଦେବ ଦୁଃଖ ।

ନିସର୍ଗ-ସୁନ୍ଦର ପୁତ୍ର ମୋ ଯାଇଛି

ସ୍ୱୟମ୍ବର ସଭାସ୍ଥଳ,

ରାଜାଗଣ ତହିଁ ଅସୂୟାରେ ଥିବା

ବାଞ୍ଝା କଲେ ଅମଙ୍ଗଳ ।

ଅଳପ ବୟସ ସରଳ ସ୍ୱଭାବ

ଅଟଇ ମୋର କୁମାର,

ରାଜାଗଣେ ତାରେ କପଟ ରଚିଲେ

କେମନ୍ତେ ହୋଇବ ପାର ।

ଅନାଥର ନାଥ ଅରକ୍ଷ-ରକ୍ଷକ

ଆହେ ପ୍ରଭୁ ଚକ୍ରଧର,

ଚକ୍ର ଅନ୍ତରାଳେ ଅସହାୟ ମୋର

ନନ୍ଦନକୁ ରକ୍ଷା କର । ’’

ଏହିରୂପେ ଖିନ୍ନ- ହୃଦୟା ମହିଷୀ

ପ୍ରିୟସଖୀ ପାଶେ କହି,

ନିଦାଘ-ଶଇଳ ପ୍ରାୟେ ବସିଥିଲେ

ହୃଦୟରେ ତାପ ବହି ।

ବଦନମଣ୍ଡଳ ଥୋଇଥିଲେ ଭାର

ଦେଇ ସବ୍ୟେତର କରେ,

ପର୍ଯ୍ୟୁଷିତ ଶ୍ଲଥ ବୃନ୍ତ କୁସୁମ କି

ଢଳିଅଛି ପଲ୍ଲବରେ !

ସଭାମଣ୍ଡପରେ ସଭ୍ୟ ରାଜବୃନ୍ଦ

ଘେନିରଘୁ ନରବର

ବସିଥିଲେ, ଏହି କାଳେ ଉପଗତ

ଯୁବରାଜଙ୍କ ଡଗର ।

ନତମସ୍ତକରେ କରଯୋଡ଼ି ବନ୍ଦି

ମହାରାଜ ପଦ୍ମପାଦ,

ଆନନ୍ଦଗଦ୍‌ଗଦ ବଚନେ କହିଲା

ବଦର୍ଭପୁର ସମ୍ବାଦ-

‘‘ଭୋ ଦେବ ମଣିମା ରାଜରାଜେଶ୍ୱର

ଶୁଭେ ହେଲା ସ୍ୱୟମ୍ବର,

ତ୍ରିଲୋକସୁନ୍ଦରୀ ବରମାଲ୍ୟ ଦେଲେ

ଗଳେ ଯୁବାଜଙ୍କର ।

ଆସିଥିଲେ କେତେ କେତେ ନରପତି

ଶୁଷ୍କକରିଦେଲେ ମୁଖ,

ନ ଲଭି ବିଦର୍ଭ- ଗଗନ-ସନ୍ଦର-

ଚନ୍ଦ୍ରମା-କୃପା–ମୟୁଖ ।

ମହା ଆଡ଼ମ୍ବରେ ଉଦ୍‌ବାହ ବିଧାନ

ଶୁଭେ କରି ସମାପନ,

ବଧୂରତ୍ନ ଘେନି ଯୁବରାଜ ପୁରେ

କରୁଥିଲେ ଆଗମନ ।

ସହି ନ ପାରି ତା ଦଳବଦ୍ଧ ହୋଇ

ମତ୍ସରୀ ନୃପତି ସର୍ବେ

ଆସି କୁମାରଙ୍କୁ ପଥେ ଆକ୍ରମିଲ

ଯୁଯୁତ୍ସାରେ ମହାଗର୍ବେ ।

ଏକା ଯୁବରାଜ- ହସ୍ତେ ମହାରଣେ

ହାରିଲେ ରାଜା ସକଳ,

ମୃଗରାଜଶିଶୁ ହସ୍ତେ ମହାରଣେ

ହାରିଲେ ରାଜା ସକଳ,

ମୃଗରାଜଶିଶୁ ସଙ୍ଗେ ରଣ କଲେ

ଜିତିବେ କି ଛାପଗଲ !

ସେମାନଙ୍କ ଶିରେ ବାମ ପଦ ଦେଇ

ପରତାପୀ ଯୁବରାଜ

ବିଜେ କରୁଛନ୍ତି, ଜାହ୍ନବୀ-କୂଳରେ

ତମ୍ବୁ ରହିଥିବ ଆଜ ।’’

ଏ ବାରତା ଶୁଣି ରଘୁ ନୃପମଣି

ଲଭିଲେ ମୁଦ ଅପାର,

ଅକସ୍ମାତେ କେବା ଶ୍ରୁତିଯୁଗଳରେ

ଢାଳିଦେଲା ସୁଧାଧାର ।

ଅମାତ୍ୟଗଣଙ୍କୁ ଆଜ୍ଞା ଦେଇ ବେଗେ

ନଗରମଣ୍ଡନ ପାଇଁ,

ରଣୀଙ୍କୁ କହିଲେ ଶୁଭସମାଚାର

ଅନ୍ତର୍ଭବନକୁ ଯାଇ ।

ସୁଖରାଜ୍ୟ-ସୀମା ନ ରହିଲା ତାହା

ଶୁଣି ମହାରାଣୀଙ୍କର,

ଆତପତାପିତ ଜନେ ଶିରେ କିବା

ପଡ଼ିଲା ଗିରି-ନିର୍ଝର ।

ସେ ବାରତା ପୁଣି ବିଘୋଷିତ ହେଲା

ନଗରେ ସାହିକି ସାହି,

ପୁରବାସୀଙ୍କ ଆନନ୍ଦର ଆଉ

ଇୟତ୍ତା ରହିଲା ନାହିଁ ।

ଅଯୋଧ୍ୟା ନଗର ହୋଇଗଲା ସ୍ୱଚ୍ଛ

ଆନନ୍ଦ-କୌମୁଦୀମୟ,

ସମସ୍ତଙ୍କ ମୁଖେ ବିଘୋଷିତ ହେଲା

ଜୟ ଯୁବରାଜ ଜୟ

ଏ ବାରତା ଶୁଣି ସାମନ୍ତ ସକଳ

ମହାଡ଼ମ୍ବର ଦେଖାଇ,

ସମବେତ ହୋଇ ଗଲେ କୁମାରଙ୍କୁ

ପାଛୋଟି ଆଣିବା ପାଇଁ ।

ଆଗତ ସାମନ୍ତ ମଣ୍ଡଳେ କୁମାର

ହୋଇଣ ଅଭିନନ୍ଦିତ,

ସାମରିକ କଥା କହି କହି ତାଙ୍କୁ

ପୁରେ ହେଲେ ବିରାଜିତ ।

ପୁରବାସୀଙ୍କର ନୟନରେ ଦେଇ

ସୁଦୁର୍ଲଭ ଆହାଲାଦ,

ବଧୂ ସଙ୍ଗେ ଯାଇ ଭକ୍ତିରେ ବନ୍ଦିଲେ

ଜନକ-ଜନନୀ-ପାଦ ।

ନବବଧୂସଙ୍ଗୀ କୁମାରଙ୍କୁ ଦେଖି

ରାଜା-ରାଣୀ ହର୍ଷଭର,

ପୌର୍ଣ୍ଣମାସୀଶୋଭୀ ଚନ୍ଦ୍ରମାମଣ୍ଡଳ

ଦର୍ଶନେ ଯଥା ସାଗର ।

କେତେ କାଳ ପରେ କୁମାରଙ୍କୁ ରାଜା

ରାଜ୍ୟ କରି ସମର୍ପଣ,

ଆପେ ବାନପ୍ରାସ୍ଥ ଧର୍ମ ଅବଲମ୍ବି

ସ୍ୱର୍ଲୋକ କଲେ ଗମନ ।

ଅଜ ବହି ହେଳେ ଜନକପ୍ରଦତ୍ତ

ଅଖଣ୍ଡ ମେଦିନୀଭାର,

ବିଦ୍ୟା-ଆଲୋକିତ ହୃଦେ ନ ରଖିଲେ

ତିଳେ ରାଜ-ଅହଙ୍କାର ।

ଅପକ୍ଷପାତରେ ଅପତ୍ୟସ୍ନେହରେ

ପରଜାମଣ୍ଡଳ ପାଳି,

ପ୍ରଚଣ୍ଡପ୍ରତାପ- ବୈଶ୍ୱାନରେ ରିପୁ-

ତୃଣରାଶି ଦେଲେ ଜାଳି ।

ଅଖଣ୍ଡିତ ନ୍ୟାୟ ସୁଧାକର-ସୁଧା-

ଧବଳ-ଚନ୍ଦ୍ରିକାଜାଳ

ରାଜ୍ୟରୁ ତାଙ୍କର କରୁଥିଲା ଦୂର

ଅନୀତି ତିମିରମାଳା ।

ପରଶ୍ରୀକାତର କର୍ଣ୍ଣେଜପ ଙ୍କର

ପର ଖଚକଥାମାନ,

କର୍ଣ୍ଣପଥେ ପଶି ପାରୁ ତ ନ ଥିଲେ

ହୃଦେ କି ପାଇବେ ସ୍ଥାନ !

ଦୁଃଖୀ ପ୍ରଜାଙ୍କର ଦୁଃଖ-ଜର୍ଜରିତ

ଗୁହାରିମାନ ତ୍ୱରିତ,

ଦୟା-ରତ୍ନପୂର୍ଣ୍ଣ ହୃଦ-ପ୍ରାସାଦରେ

ହେଉଥାଏ ନିନାଦିତ ।

ପ୍ରଜା ଉପକାର କାରଣେ ସଞ୍ଚିତ

ଭଣ୍ଡାରଟି ଅଜଙ୍କର,

ବଞ୍ଚକ ବଞ୍ଚନା- କଥାରେ ନ ଯାଏ

କପର୍ଦ୍ଦ ଏକମାତର ।

ଭୋଗାସକ୍ତ ନୋହି ସଦା ଜାଗରିତ

ପ୍ରଜାଙ୍କ ହିତସାଧନେ,

ପ୍ରଜା-ସୁଖ ଦେଖି ଆପେ ମହାସୁଖୀ

ହେଉଥିଲେ ସ୍ୱଚ୍ଛମନେ ।

ରଘୁବିରହିତ ରଘୁଶାସନ

ପାଳିତ ପରଜାଗଣ,

ଅଜ ରାଜତ୍ୱରେ ରଘୁଙ୍କ ବିରହ

କରିଦେଲେ ବିସ୍ମରଣ ।

ସର୍ବେ ମୁକ୍ତକଣ୍ଠେ ଘୋଷୁଥାନ୍ତି ସଦା

ଅଜଙ୍କ ନିର୍ମଳ ଯଶ,

ନୀନ୍ଦୁଥିଲେ ଏକା ଆଶ୍ରୟାଭାବରୁ

ଆଳସ୍ୟ ଗର୍ବ ରାକ୍ଷସ !

ଲାମ୍ପଟ୍ୟ ଚଉର୍ଯ୍ୟ ଆଦି ହୀନବୃତ୍ତି

କୃତ୍ରିମ ରୂପ ଦେଖାଇ,

ଅପରାଜ୍ୟେ ଜନ- ମାନସକୁ କେବେ

ଭୁଲାଇପାରନ୍ତି ନାହିଁ ।

ଇନ୍ଦୁମତୀଠାରେ ଅଟଳ ସୁସ୍ନେହ

ଅଜ କରି ସଂସ୍ଥାପନ,

ଦମ୍ପତି-ପ୍ରଣୟ- ବିଳାସରେ ସୁଖେ

ସମୟ କଲେ ଯାପନ ।

କେତେ କାଳ ପରେ ଇନ୍ଦୁମତୀଙ୍କର

ହୋଇଣ ଗର୍ଭସଞ୍ଚାର,

ଯଥାସମୟରେ ଜାତ ହେଲେ ଏକ

ସୁନ୍ଦର ନବ କୁମାର ।

ଦଶ ଦିଶେ ରଥ ଗମିବ ଏହାର

ରାଜା ଏହା ଭାବି ମନେ,

ଦଶରଥ ନାମେ ଖ୍ୟାତ ହେଉ ସୁତ

ବୋଇଲେ ବିଶ୍ୱଭବନେ ।

ଶୁକ୍ଳେ ଶଶିକଳା ପ୍ରାୟେ ଦିନୁ ଦିନ

କୁମାର ହେଲେ ବର୍ଦ୍ଧିତ,

ଚାହିଁ ହେଉଥାନ୍ତି ଜନକ ଜନନୀ

ଅତିଶୟ ଆନନ୍ଦିତ ।

ଧରଣୀ-ରାଣୀର ସେବା ଅର୍ଥେ ଆସି

ବସନ୍ତ ପ୍ରବେଶ ହେଲା,

ଲହିତ କୋମଳ ପଲ୍ଲବ-ଦୁକୂଳ

ମଗେ ତନୁ ମଣ୍ଡିଦେଲା ।

ଲଲାଟରେ ଲତା ଅଳକାବଳୀକି

ଅତି ଯତନରେ ସାଜି,

ମଣ୍ଡିଦେଲା ଶିରେ ନବ ବିକଶିତ

ମଞ୍ଜୁଳ କୁସୁମରାଜି ।

ରଜନୀରେ କିଏ ଲମ୍ବାଇ ହୃଦୟେ

ହିମବିନ୍ଦୁ-ମୋତିମାଳି,

କର ପ୍ରସାରି ଯା ହରିନେଉଥାନ୍ତି

ପ୍ରଭାତରେ କରମାଳୀ ।

ଦକ୍ଷିଣ ସାଗର- ତରଙ୍ଗ-ଶୀକର

ସିକ୍ତ-ଶୀତ-ମୃଦୁ-ବାତେ,

ମଳୟ ଶଇଁଳୁ ସୁଗନ୍ଧିକି ହରି

ବିଞ୍ଚୁଥାଏ ମହୀଗାତ୍ରେ।

ଗାଇଲେସଙ୍ଗୀତ ମଧୁମତ୍ତ ମଧୁ-

କରୀ ଏ ମଧୁରଭାବେ,

ବନ ଉପବନ ମଧୁରିତ ହେଲା

କଳକଣ୍ଠ କଳରାବେ ।

ମହୀପତି ଅଜ ମହୀ-ମହିଳାର

କମନୀୟ ଛବି ଚାହିଁ,

ମହୀ-ରତ୍ନାହାରା ପ୍ରିୟା ସଙ୍ଗେ ଗଲେ

ଉଦ୍ୟାନ-ବିହାର ପାଇଁ ।

ପ୍ରେମାଳାପେ ଭ୍ରମୁ ଭ୍ରମୁ ସେ ଦମ୍ପତି

ପୁଷ୍ପବନେ କୁତୂହଳେ,

ପୁଷ୍ପହାର ଏକ ଗଗନୁ ପଡ଼ିଲା

ଉନ୍ଦୁମତୀ ବକ୍ଷସ୍ଥଳେ ।

ସେ ଦିବ୍ୟ କୁସୁମ- ହାର ଦରଶନ

ମାତ୍ରେ ଇନ୍ଦୁମତୀଙ୍କର,

ପ୍ରାଣ-ବିହଙ୍ଗମ ଉଡ଼ିଗଲା, ତନୁ

ପଡ଼ିଲା ଧରା ଉପର ।

ଛିନ୍ନମୂଳ ତରୁ ପରାୟେ ଭୂମିରେ

ପଡ଼ିବାରୁ ପ୍ରିୟ ଜାୟା,

ଜ୍ଞାନଶୂନ୍ୟ ହୋଇ ପଡ଼ିଲେ ନୃପତି

କାୟା ସଙ୍ଗେ ଯଥା ଛାୟା ।

କିଛି କ୍ଷଣେ ଜ୍ଞାନ ଲଭି ନରପତି

ପାରିଷଦ ଯତନରେ,

ସତୃଷ୍ଣେ ଦେଖିଲେ ଜ୍ଞାନ ନାହିଁ ପ୍ରାଣ-

ସଙ୍ଗିନୀ ଅପଘନରେ ।

ଝଟକହାଟକ- ତନୁ ଦିଶୁଅଛି

ନିଷ୍ପ୍ରଭ ନିରତିଶୟ,

ଅକସ୍ମାତେ କିବା ହୋଇଗଲା ହେମ

ପ୍ରତିମା ପାରଦମୟ ।

ସସମ୍ଭ୍ରମ ଉରେ କର ପକାଇଲେ

ଲାଗିଲା ଅତି ଶୀତଳ,

ଅନାବୃତ ସ୍ଥାନେ ଥିଲେ ଯଥା ଶୀତ

ନିଶାନ୍ତେ ଲୌହଶାବଳ ।

ଦେଖିଲେ ବଦନ- ମଣ୍ଡଳେ ନାହିଁ ତ

ପୂର୍ବତନ ସ୍ମିତଭାବ,

ମୁଦ୍ରିତ ଖଞ୍ଜନ- ଗଞ୍ଜନନୟନ

ଗଣ୍ଡ ଭାଲ ପାଣ୍ଡୁରାଭ ।

ନାସିକାରେ କର ନିବେଶି ଦେଖିଲେ

ନ ଆସଇ ପ୍ରାଣବାୟୁ,

କୋଳେ ଧରି ଉଚ୍ଚେ ବଳପିଲେ ଶୋକ

ସମ୍ବରି ନ ପାରି ଆଉ-

‘‘ ଆହା ବରାନନେ ସରଳ-କୋମଳ

ହୃଦୟା ସୁଦୟାବତି !

ଛାଡ଼ିଗଲୁଁ କେଉଁ ଅପରାଧ ଦେଖି

ହୋଇଣ       ନିଷ୍ଠୁରମତି ।

କେତେ ଅପରାଧ କରି ସଖି ! ଦିନେ

ଦେଖି ନାହିଁ ତୋର ମାନ,

ଦିନେ ତୋ ମୁଖରୁ       କର୍କଶ ବଚନ

ପାଇ ନାହିଁ ତୋର କାନ ।

କଳନାଦି-ବୀଣା- ଗର୍ବ ଖର୍ବକର

ବଚନ ନ କହି ପଦେ,

କଲୁ ନମଜ୍ଜାଇ ଦେଇ ଶୋକାମୟ

ଦୁସ୍ତର ଘୋର ବିପଦେ ।

ଦୟା ଉପାଦାନେ ଗଢ଼ା ହୋଇଅଛି

ପ୍ରିୟେ ! ତବ କଳେବର,

ପ୍ରେମ-ରସାଣରେ ରସାଣି ଦେଇଛି

ତଦୁପରି ବେଦବର ।

କଠିନ ହୃଦୟ ଜାଣି ଅବା ମୋତେ

ହୋଇଅଛୁ ବିରାଗିଣୀ,

କଠିନ ହେଲେହେଁ କୁଳିଶକୁ କେବେ

ଛାଡ଼ି କି ସୌଦାମିନୀ ?

ଉଠ ଉଠ ଥରେ ପଙ୍କଜନୟନି !

ନେତ୍ର ଉନ୍ମୀଳନ କର,

ନବୀନ ଦୁଃସହ ସନ୍ତାପକୁ ମୋର

ପୀୟୂଷଦୃଷ୍ଟିରେ ହର ।

ବାନ୍ଧିବି ! ତୋ ବିନା ଗାଢ଼ ତମୋମୟ

ଦୃଶ୍ୟ ହେଉଛି ଧାରଣୀ,

ବିଦ୍ୟୁତ୍‌ପ୍ରଭାହୀନ ଘନ ଘନାଚ୍ଛନ୍ନ

ଯେମନ୍ତେ ଦର୍ଶ ରଜନୀ ।

ଘନପଲ୍ଲବିତ ସହକାରବନ

ସୁଶୀତଳ ଛାୟାପଥ,

ରବି-ରଶ୍ମିକଣା ପଡ଼ି ଦିଶେ ଯହିଁ

ନୀଳ ନଭେ ତାରାବତ ।

ତରୁଗଣ ଯହିଁ ପୁଷ୍ପିତ ମାଧବୀ

ଲତିକାରେ ଆଲଙ୍ଗିତ

ହୋଇ ସୁବାସରେ ଚଉଦିଗ ଭୂମି

କରୁଥାଇ ସୁରଭିତ ।

ଝିଙ୍କାରିଏ ବସି ରାବୁଥାନ୍ତି ଯହିଁ

ଅଚ୍ଛିନ୍ନ ଗଭୀରସ୍ୱରେ,

କଳକଶ୍ଠକୁଳ କଳକଳ ଧ୍ୱନି

ଯହିଁ ମନ ମୁଗ୍‌ଧ କରେ ।

ଲାଙ୍ଗୁଳ ହଲାଇ ଗୁଣ୍ଡୁଚିଏ ଯହିଁ

ନାଚୁଥାନ୍ତି ପ୍ରମୋଦରେ,

ସ୍ଥିରେ ଡାଳେ ବସି କଜ୍ଜଳପତ୍ରୀଏ

ରଟୁଥାନ୍ତି ଥରେ ଥରେ ।

ମଧ୍ୟାହ୍ନେ ତୋହର ସୁକୋମଳ କର

ଧରି ତହିଁ ବୁଲିବାର,

ସୁସ୍ନିଗ୍‌ଧ ମାଧବୀ ମଣ୍ଡପରେ ବସି

ପମାଳାପ କରିବାର;

କୌତୁକେ କୁସୁମ ବିଞ୍ଚାବିଞ୍ଛି ହୋଇ

ପ୍ରେମ-ଖେଳ ଖେଳିବାର,

ସ୍ମୃତିପଥେ ପଡ଼ି ହୃଦୟେ କରତି

ହେଉଅଛି ବାରମ୍ବାର ।

ଅତୈଳ ପୂରିତ ରତ୍ନଦୀପ ତହିଁ

କରଇ ତିମିର ନାଶ,

ଉଠୁଥାଏ ଯେଉଁ ପୁରେ ଅବିରତେ

ଅଗୁରୁଧୂପର ବାସ ।

ତହିଁ ଗଜଦନ୍ତ- ନିର୍ମିତ ପଲ୍ୟଙ୍କ

ଦୁଗ୍‌ଧଫେନନିଭ ଶଯ୍ୟା,

ଶରଚ୍ଚନ୍ଦ୍ରୋପମ ଉପାଧାନ ଦେଇ

ହୋଇଥାଏ ଯାହା ସଜା।

ତାହା ତେଜି ଆଜ ଶ୍ମଶାନେ ଶୋଇବୁ

ପ୍ରଜ୍ଜ୍ୱଳିତ ଚିତାକୋଳେ,

ସେ ଭୀଷଣ ଛବି ପ୍ରତିବିମ୍ବ ଆସି

ନାଚୁଥିବ ମୋର ଡୋଳେ ।

ଏଥୁଁ ବଳି ବିଶ୍ୱେ ହୃଦ ବିଦାରଣୀ

କି କଥା ଅଛି ଅଧିକ ?

ଏତେବେଳେ ଯାଏଁ ଫାଟି ନାହିଁ ମୋର

ପାଷାଣ ହୃଦୟ ଧିକ !

କେ ଗାଇବ ବୀଣା- ଝଙ୍କାରମିଶ୍ରିତ

ପ୍ରେମ-ସୁଧାମୟ ଗୀତ?

କାହା ସଙ୍ଗ ବସି ଉଲ୍ଲାସେ କରିବି

ମନୋହର ସୁସଙ୍ଗୀତ ?

ସକଳ ବିଷୟ- ବିଳାସରେ ମୋତେ

ଦିଆଇ ତୁ ଜଳାଞ୍ଜଳି,

ଅତ୍ୟନ୍ତ ଗଭୀର ଦୁଃଖ-କୂପଗର୍ଭେ

ପେଲି ଦେଇ ଗଲୁ ଚଳି ।

ହିମକର – କଳା ସୁକୁମୋଳ ରୁଚି

ଅଳ୍ପବୟସ କୁମର,

କେତେ ବ୍ୟାକୁଳିତ       ହେଉଥାଉ ତିଳେ

କୋଳରୁ ହେଲେ ଅନ୍ତର ।

ଆଜି ତାକୁ ଶୋକ- ସ୍ରୋତରେ ଭସାଇ

ଛାଡ଼ିଗଲୁ ସଖି କାହିଁ ?

ଅଭିନ୍ନହୃଦୟା ସଖଗଣଠାରୁ

ମେଲାଣି ତ ହୋଇନାହିଁ ।’’

ଫୁଲମ ଚାହିଁ ବୋଲନ୍ତି, ‘‘ ଆହା କି

ଅଦ୍ଭୁତ ମୋର କପାଳେ !

ପ୍ରିୟ ଗଳାହାର ଗଳା କାଟିବାର

ଶୁଣା ନାହିଁ କେଉଁ କାଳେ ।

ଏହିପରି ଏକ ପୁଷ୍ପମାଳା ମୋତେ

ପ୍ରିୟା ସଙ୍ଗେ କଲା ଯୋଗ,

ଏହି ପୁଷ୍ପମାଳ ଆଜି ମୋହଠାରୁ

ପ୍ରିୟାକୁ ସଙ୍ଗେ କଲା ବିଯୋଗ,

ଏଣୁ ବିଚାରଇଁ ସୌଭାଗ୍ୟ ସମୟେ

ସମ୍ପଦରେ ଯା’କୁ ଗଣି,

ଅଭାଗ୍ୟ ସମୟେ ସେହି ପୁଣି ହୁଏ

ସବୁ ବିପଦର ଖଣି ।

ଜଳରୁ ଜନମି ପଦ୍ମିନୀ ସୁନ୍ଦରୀ

ଥରେ ଚହଟାଏ ବାସ,

ସମୟରେ ପୁଣି ସେହି ଜଳକଣା

ପଦ୍ମିନୀକି କରେ ନାଶ ।

ଅବା କାନ୍ତ ମୋର ରାଜେନ୍ଦ୍ର ନନ୍ଦିନୀ

ଅଟେ ଅତି ସୁକୁମାରୀ,

ପୁଷ୍ପମାଳ ତାକୁ କଠିନ ହେବାରୁ

ଜୀବନ ଦେଲା ସଂହାରି ।’’

ରାଜା ଶୋକ ଚାହିଁ       ସଘନେ କାନ୍ଦିଲେ

ପାର୍ଶ୍ୱଚର ଭୃତ୍ୟଗଣ

ପ୍ରତିଧ୍ୱନି ଛଳେ ଉଦ୍ୟାନହିଁ ତହିଁ

ଗମ୍ଭୀର କଲା ରୋଦନ ।

କ୍ଷଣକ ମଧ୍ୟରେ ଅଯୋଧ୍ୟାନଗରୀ

ବଡ଼ିଗଲା ଘୋର ଦୁଃଖେ,

ହାହାକାର ଧ୍ୱନି ଉଚ୍ଚାରିତ ହେଲା

ସବିସ୍ମୟେ ଜନମୁଖେ ।

ରାଜମହିଷୀଙ୍କ ନିଧନ ବାରତା

ଶୁଣି ରାଜବନ୍ଧୁ ଜନେ,

ରାଜା ସମୀପରେ ଉପସ୍ଥିତ ହେଲେ

ସତ୍ୱରେ ବିଷଷ୍ଣମନେ ।

ଇନ୍ଦୁମତୀଙ୍କର ମୃତ କଳେବର

ରାଜାଙ୍କ କୋଳରୁ ବଳେ,

ନେଇ ଦହିଦେଲେ       ଚନ୍ଦନସମିଧ-

ବିରଚିତ ଚିତାନଳେ ।

ଉଦ୍ୟାନରେ ରହି ପ୍ରିୟା ପ୍ରେତକାର୍ଯ୍ୟ

ଯଥାବିଧି ସମାପନ,

କରି ନରପତି ବିଷଷ୍ଣବଦନେ

ପୁରକୁ କଲେ ଗମନ ।

ମଣି ହରାଇଲା ଫଣୀ ପ୍ରାୟେ ଦୁଃଖେ

ନିଭୃତ ମନ୍ଦିରେ ରହି,

ରମଣୀ-ବିରହ- ଅନଳ –ଶିଖାରେ

ତନୁଦେଇଥାନ୍ତି ଦହି ।

ଆହାର ବିହାର ରାଜକାର୍ଯ୍ୟ ଆଦି

ଯଥାବିଧି ସମାପନ,

ନିବିଡ଼ ନିର୍ଜନ କାନନ ପରାୟେ

ପ୍ରତୀତ ହେଲା ଜଗତ ।

ରାଜକୁଳଗୁରୁ ବଶିଷ୍ଠ ମହର୍ଷି

ସିଦ୍ଧତପା ମହାଜନ,

ଜ୍ଞାନ-କ୍ଷୁ ଯା’ର ଉନ୍ନୀଳିତ ହେଲେ

କରତଳେ ତ୍ରିଭୁବନ ।

ତ୍ରିକାଳଘଟନା ନିର୍ମଳେ ଚିତ୍ରିତ

ହୋଇଥାଏ କରପଦ୍ମେ,

ଅବଗତ ହେଲେ ସକଳ ଘଟନା

ଘଟିଲା ଯା’ ରାଜସଦ୍ମେ,

ନୃପତି-ହୃଦୟ- ଆଚ୍ଛାଦିତ ମୋହ-

ତମସ ନାଶନ ପାଇଁ,

ଋଷିକୁଳ ରବି- ରଶ୍ମି ଛଳେ ଜଣେ

ଶିଷ୍ୟକୁ ଦେଲେ ପଠାଇ ।

ଋଷିଶିଷ୍ୟ ଆସି ନୃପ ସମୀପରେ

ଯଥାବିଧି ସମାଦୃତ

ହୋଇ ମହର୍ଷିଙ୍କ- ଉପଦେଶାବଳୀ

ରାଜନେ କଲେ ବିବୃତ ।

‘‘ଯଜ୍ଞରେ ଦୀକ୍ଷିତ ଥିବାରୁ ମହର୍ଷି

ଆମ୍ଭକୁ କଲେ ପ୍ରେରଣ,

କହିଛନ୍ତି ଯାହା ଅବହିତ ଚିତ୍ତେ

ଶ୍ରବଣ କର ରାଜନ !

ଯେମରୂପେ ଗଗନ ଗଗନ ସଦୃଶ

ସାଗର ସାଗରୋପମ,

ଅବନୀମଣ୍ଡଳେ ସର୍ବ ରାଜଗୁଣେ

ତୁମ୍ଭେ ଏକା ତୁମ୍ଭ ସମ ।

ମହୋଦଧି ପ୍ରାୟ            ତୁମ୍ଭର ହୃଦୟ

ଅତ୍ୟନ୍ତ ଗଭୀର ଧୀର,

ସାଧାରଣ କ୍ଷୋଭ ମୋହ ତାକୁ କରି

ପାରନ୍ତି ନାହିଁ ଅସ୍ଥିର ।

ଭବେ ଭବିତବ୍ୟ ଅଶ ଘଟଇ

ନ ହୁଏ କେବେ ଅନ୍ୟଥା,

ମୂଢ଼ ଜନେ ସିନା ତହିଁ ପାଇଁ ବୃଥା

ହୃଦେ ପୋଷୁଥାନ୍ତି ବ୍ୟଥା ।

ବିଧିବିଧାତବ୍ୟ ବିଷୟ ନ ବୁଝି

କ୍ଷୋଭ କରିବାର ମନେ,

ପ୍ରାକୃତ ମାନବ ପରାୟେ ଉଚିତ

ନୁହେଁ ଭବାଦୃଶ ଜନେ ।

ନଦୀପ୍ରବାହରେ ଭାସିଯାନ୍ତି ସିନା

ତଟସ୍ଥିତ ତରୁମାନ,

ପ୍ରବାହ ଉପରେ ପ୍ରବାହ ଆସିଲେ

ଟଳଇ କି ସାନୁମାନ ?

କର୍ମଫଳ ଘେନି ଜନ୍ମ ଲଭୁଛନ୍ତି

ଜୀବଗଣ ବସୁଧାରେ,

ଫଳ ଭୁଞ୍ଜିସାରି ଯାଉଛନ୍ତି ପୁଣି

କୃତକର୍ମ ଅନୁସାରେ ।

ଜୀବନ-ପ୍ରଦୀପ ଜଳୁଥାଏ ଦେହେ

ଆୟୁସ୍ତୈଳ ଥିବାଯାଏ,

ଆୟୁସ୍ତୈଳସବୁ ନିଃଶେଷିତ ହେଲେ

ନିର୍ବାଣ ସେ ହୋଇଯାଏ ।

ଅଚିନ୍ତ୍ୟ ପୁରୁଷ- ହସ୍ତେ ଅଛି ସେହି

ତୈଳ ଦେବା ଅଧିକାର,

ଅପକ୍ଷପାତରେ ବଣ୍ଟନ କରନ୍ତି

କର୍ମ ଦେଖି ଯେ ଯାହାର ।

ମର୍ତ୍ତ୍ୟମଣ୍ଡଳରେ ଜନମିଲେ ଦିନେ

ଅବଶ୍ୟ ଅଛି ମରଣ,

ସର୍ବଗ୍ରାସୀ କାଳ ପ୍ରତି ନିମିଷରେ

କରୁଛି ଆୟୁ ହରଣ ।

ଥିଲେ କେତେ କେତେ ଅମିତତେଜସ୍ୱୀ

ବସୁନ୍ଧରାପତିମାନେ,

ନାମ ମାତ୍ର ଅଛି ତନୁ ଯାଇଅଛି

ଭୟଙ୍କର ଶମଶାନେ ।

ତବ ବଂଶ ଥିଲେ ନୃପତି-ମୁକୁଟ-

ମଣି ପୁରଞ୍ଜୟ ନାମେ,

ମରଲୋକ ଲଙ୍ଘି ବ୍ୟାପିଥିଲା ତାଙ୍କ

କୀରତି ଅମରାଧାମେ ।

ସେହି ଯଶୋଧନ ବୀରଗଣାଗ୍ରଣୀ

ଆଜ ଏ ମହାବୀର କାହିଁ ?

କାଳର ଅଜୟେ ପରାକ୍ରମକୁ ସେ

ଲଙ୍ଘି ତ ପାରିଲା ନାହିଁ ।

ତୁମ୍ଭ ପିତାମହ ଦିଲୀପ ଭୂପତି,

ପିତା ରଘୁ ମହାରାଜ,

ଦୋର୍ଦ୍ଦଣ୍ଡକୁ ଯା’ର ମଘବା ଶଙ୍କର

ସେହି ଅଛନ୍ତି କି ଆଜ ?

ଚିରସ୍ଥାୟୀ ନୁହେଁ ଶରୀର –ପ୍ରାଦପ

ଭବ-ତରଙ୍ଗିଣୀତୀରେ,

ପ୍ରାଣ ମୂଳମାଟି ଧୌତ ହୋଇଗଲେ

ଭାସିଯାଏ କାଳ-ନୀରେ ।

କେହି ତ କାହାରି ନୁହନ୍ତି ରାଜନ

ମହାମାୟା ଭବ-ହାଟେ,

ଆପଣା ଆପଣା କଉଡ଼ି ସରିଲେ

ଫେରୁଛନ୍ତି ନିଜ ବାଟେ ।

ତୁମ୍ଭ ଯାହା ପାଇଁ ବିଳାପ କରୁଛ,

ତୁମ୍ଭକୁ ସେ ଭୁଲି ମନୁ,

ମହାପ୍ରମୋଦରେ ସୁରପୁରେ ଅଛି

ଲଭି ଅପସରା-ତନୁ ।

ଦୁଷ୍କର ତପସ୍ୟା କରୁଥିଲେ ବନେ

ମହାତାପ ତୃଣବିନ୍ଦୁ,,(୧)

ଇନ୍ଦ୍ର ଆଦେଶରେ ହରିଣୀ ନାମରେ

ଆସି ଏକ ସୁରବଧୂ,

ତପୋଭଙ୍ଗ ପାଇଁ ଅନଙ୍ଗ-ବିଳାପ

ଦେଖାଇଲା ମୁନି ଆଗେ,

ବିଲୋକି ମହର୍ଷି ‘ମର୍ତ୍ତ୍ୟରେ ମାନୁଷୀ

ହୁଅ ତୁ’ ବୋଇଲେ ରାଗେ ।

ମୁନି ଅଭିଶାପେ ପଡ଼ିଲା କିନ୍ନରୀ

ଅତି ଦୁସ୍ତର ବିପଦେ,

କୃତାଞ୍ଜଳି ହୋଇ ପ୍ରତିକାର ପାଇଁ

ଜଣାଇଲା ମୁନିପଦେ ।

କୂର୍ମଶିର ପରି ଇତର ବଚନ

କ୍ଷଣେ କ୍ଷଣେ ବାହରଇ,

ଗଜଦନ୍ତବତ ମହତ ବଚନ

ବାହାରିଲେ ନ ଘୁଞ୍ଚଇ ।

ମୁନିଙ୍କ ହୃଦୟ- ଅଭ୍ୟନ୍ତର ସଦା

ସ୍ୱାଭାବିକ ସୁକୋମଳ,

ବହିରାବରଣ ମାତ୍ରକ କଠିନ

ଯଥା ନାରିକେଳ ଫଳ ।

ସୁରବନିତାର ବିନୟରେ ହେଲା

ଋଷିଙ୍କ କୃପା ସଞ୍ଚାର,

ସାନୁଗ୍ରହଚିତ୍ତେ କହିଦେଲେ ତାକୁ

ଶାପତ୍ରାଣ ପ୍ରତିକାର ।

‘ଯେଉଁ ଦିନ ତୋର ଦୃଷ୍ଟିରେ ପଡ଼ିବ

ସ୍ୱର୍ଗୀୟ କୁସୁମ-ହାର,

ସେହିକ୍ଷଣି ନିଜ ଶରୀର ଲଭିବୁ

ଭବାବ୍‌ଧିରୁ ହୋଇ ପାର ।’

ବିକଶିଲା କୃଥ- କଉଶିକ ବଂଶ

ସରେ ବାଳା-କୁମୁଦିନୀ,

ଭୁବନ ଚନ୍ଦ୍ରମା ହେତୁ ହୋଇଥିଲା

ତୁମ ଚିତ୍ତ-ବିନୋଦନୀ ।

ବୁଲୁଥିଲା ବେଳେ ପ୍ରିୟା ସଙ୍ଗେ ତୁମ୍ଭେ

ପ୍ରେମପୂର୍ଣ୍ଣ ମନୋରଥେ,

ବୀଣାବିନୋଦିଆ ଦେବର୍ଷି ନାରଦ

ଯାଉଥିଲେ ସୁରପଥେ ।

ଦୈବଯୋଗେ ବାୟୁ- ବଳେ ଖସି ତାଙ୍କ

ବୀଣାଗ୍ର କୁସୁମମାଳା,

ଉରେ ପଡ଼ିବାରୁ ଶାପରୁ ମୁକତି

ଲଭିଅଛି ସୁରବାଳା ।

ତୁମ୍ଭେ ଏବେ ତାକୁ       ଦେଖି ନ ଚିହ୍ନିବ,

ସେ ଅବା ଚିହ୍ନିବ କାଇଁ

ତାହା ପାଇଁ ବୃଥା ଶୋକ କରିବାର

ତୁମ୍ଭ ପ୍ରତି ନ ଯୋଗାଇ ।

ଗଲା କଥା ଗଲା ସ୍ମୃତି-ପଟୁଁ ତାହା

ପୋଛିଦିଅ ମହାମନା,

ଗତ କଥା ସ୍ମରି ଶୋଚନା କରିବା

ନୀତିଶାସ୍ତ୍ରେ ଅଛି ମନା ।

ପ୍ରଜାବତ୍ସଳ ହେ, ପ୍ରଜାରଞ୍ଜନରେ

ପରଜା ପରମ ଧନ ।’’

ଏରୂପେ ନୃପଙ୍କୁ ନାନାଉପଦେଶ-

ବାକ୍ୟେ କରି ପ୍ରବୋଧନ,

ମେଲାଣି ହୋଇଣ       ବଶିଷ୍ଠଙ୍କ ଶିଷ୍ୟ

ଆଶ୍ରମେ କଲେ ଗମନ ।

ରାଜାଙ୍କ ହୃଦୟ- ପ୍ରସାଦରେ ଯେଉଁ

ଜ୍ଞାନ –ଦୀପ ଜାଳି ଗଲେ,

ଲିଭିଗଲା ତାହା ଶୋକ –ଜଳ-ସିକ୍ତ

ମୋହ-ପ୍ରଭଞ୍ଜନ ବଳେ ।

ଶୋକକ୍ଷୀଣତନୁ ନୃପତିଙ୍କି ହେଲା

ଦୁର୍ବହ ମେଦିନୀଭାର,

ବୋଧ କଲେ ବିଷ       ପରାୟେ ବିଷୟ

ଦୁଃଖମୟ ଏ ସଂସାର ।

କିଛି ଦିନ ପରେ ଯୋଗ୍ୟ କୁମାରଙ୍କୁ

ରାଜ୍ୟେ କରି ଅଭିଷିକ୍ତ,

ଜାହ୍ନବୀ-ସରଯୂ ସଂଗମ ସ୍ଥାନରେ

ଯାଇ ହେଲେ ଅବସ୍ଥିତ ।

ସେଠାରେ ମରଣ- ଧର୍ମଶୀଳ ତନୁ

ଗୋଟି ବିସର୍ଜନ କରି,

ଅମରପୁରକୁ ବିଜେ କରିଗଲେ

ଦିବ୍ୟ କଳେବର ଧରି ।

 

**********